ଭୁବନେଶ୍ୱର: ସରିଲା ଖରା ଛୁଟି, ପାଖେଇ ଆସିଲା ସ୍କୁଲ ଖୋଲିବାର ବେଳ । ଆଉ ୩ ଦିନ ପରେ ଅର୍ଥାତ୍ ଆସନ୍ତା ୨୦ରୁ ସ୍କୁଲ ଖୋଲିବାକୁ ଯାଉଛି । ୧୮ ତାରିଖ ବଦଳରେ ୨୦ରେ ସ୍କୁଲ ଖୋଲିବାନେଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।
ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨୨ରୁ ସ୍କୁଲ ଛୁଟି କରାଯାଇଥିଲା । ଏବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଓ ୨୦୨୫-୨୬ ଶିକ୍ଷାବର୍ଷ ଠିକ୍ ଭାବେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏଁ କ୍ୟାମ୍ପସରେ ଉପସ୍ଥିତ ରହିବେ ।
ସେହିପରି ଶିକ୍ଷକ, ଶିକ୍ଷୟିତ୍ରୀ, ଅଫିସ କର୍ମଚାରୀ, ସଫେଇ କର୍ମଚାରୀ, ରୋଷେୟା ଜୁନ୍ ୧୯ରୁ ବିଦ୍ୟାଳୟରେ ଯୋଗଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି । ସେମାନେ ବିଦ୍ୟାଳୟରେ ଯୋଗଦେଇ କ୍ଲାସରୁମ୍ ଏବଂ ବିଦ୍ୟାଳୟ ପରିସର ସଫା କରିବେ । ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପରିଷ୍କାର କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରି ପିଲାଙ୍କ ବସିବା ପାଇଁ ଉପଯୋଗୀ କରାଯିବ।