କଟକ: ଓଡ଼ିଶା ହାଇକୋର୍ଟ ଏବେ ବିରଳ ରେକର୍ଡ ସୃଷ୍ଟି କରିଛି । ୧୦ ଦିନରେ ୧୩ଶହ ମାମଲାର ସମାଧାନ କରି ଏହି ନୂଆ ରେକର୍ଡ କରିଛି । ଗତ ମେ ମାସ ୨୦ ତାରିଖରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ବସିଥିଲା । କେବଳ ଜରୁରୀ କାଳୀନ ଶୁଣାଣୀ ପାଇଁ ଏହି ଛୁଟି ଭିତରେ ୧୦ ଦିନ ଅବକାଶକାଳୀନ ଅଦାଲତ ବସିଥିଲା । ତେବେ ଏହି ୧୦ ଦିନ ଅଦାଲତରେ ୧୩ଶହ ମାମଲାର ସମାଧାନ ହୋଇଛି, ଯାହା ପୂର୍ବବର୍ଷ ଅପେକ୍ଷା ରେକର୍ଡ କରିଛି ।
ସୂଚନା ମୁତାବିକ ଏହି ୧୦ ଦିନ ଅବକାଶକାଳୀନ ଅଦାଲତରେ ମୋଟ୍ ୧୮ଟି ଡିଭିଜନ୍ ଏବଂ ଜଣିକିଆ ବିଚାରପତିଙ୍କ ଅଦାଲତ ବସିଥିଲା । ଏହି ସବୁ ଅଦାଲତରେ ଜେଲ୍ କ୍ରିମିନାଲ୍ ଅପିଲ୍, ରିଟ୍ ପିଟିସନ୍, ରିଟ୍ ଅପିଲ୍, ନିୟମିତ ଜାମିନ୍, ଆଗୁଆ ଜାମିନ୍ ମାମଲାର ଶୁଣାଣି ହୋଇଥିଲା । ଏଥିରେ ୧୩ଶହ ମୁଖ୍ୟ ମାମଲାର ଶୁଣାଣୀ ହୋଇଛି । ସେହିପରି ୩୫୧ଟି ଅନ୍ତରୀଣ ଆବଦେନ (ଆଇଏ)ର ସମାଧାନ କରାଯାଇଛି । ଗୋଟେ ଗୋଟେ ଦିନ ଗୋଟେ ଗୋଟେ ବେଞ୍ଚରେ ୧୫୦ରୁ ୨୦୦ ଯାଏଁ ମାମଲାର ଶୁଣାଣି ହେବା ସହ ସମାଧାନ କରାଯାଇଥିଲା ।
ତେବେ କୋର୍ଟରେ ଗ୍ରୀଷ୍ମ ଛୁଟିକୁ ନେଇ ଅନେକ ସମୟରେ ବିଚାର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠିଥାଏ । ମାସାଧିକାଳ ଯାଏଁ କୋର୍ଟ ବନ୍ଦ ରହୁଥିବାରୁ ପୀଡ଼ିତଙ୍କୁ ନ୍ୟାୟ ମିଳିପାରେ ନାହିଁ ବୋଲି ଅଭିଯୋଗ ହୁଏ, କିନ୍ତୁ ଛୁଟି ବେଳେ ଓଡ଼ିଶା ହାଇକୋର୍ଟର ବିଚାରପତି ମାନେ ଅବକାଶ ନ ଯାଇ ନିଜର ସାମ୍ବିଧାନିକ ଉତ୍ତରଦାୟିତ୍ୱ ନିର୍ବାହ କରି ପୀଡ଼ିତଙ୍କ ନ୍ୟାୟ ପ୍ରଦାନ କରି ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିଛନ୍ତି । ହାଇକୋର୍ଟଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।