ଯାଜପୁର: ଯାଜପୁର ଜିଲ୍ଲାରେ ହଇଜା ସ୍ଥିତି ଅଣାୟତ୍ତ । ସେନେଇ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ । ଆଜି ଯାଜପୁରରେ ହଇଜା ସ୍ଥିତିର ସମୀକ୍ଷା ପାଇଁ ସ୍ବାସ୍ଥ୍ୟ ସଚିବ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ରୋଗର ନିୟନ୍ତ୍ରଣ, ନିରାକରଣ ଓ ସଂକ୍ରମଣ ରୋକିବାକୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ କରିଥିଲେ । ୧୪ଜଣିଆ କେନ୍ଦ୍ରୀୟ ଟିମ୍ ଯାଜପୁର ଗସ୍ତରେ ଆସି ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । କେଉଁ କାରଣରୁ ଜିଲ୍ଲା ପରେ ଜିଲ୍ଲା ଝାଡ଼ାବାନ୍ତି ବ୍ୟାପୁଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ ।
ଆଜି ସ୍ବାସ୍ଥ୍ୟ ସଚିବ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଅଧିକାରୀମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରର ଚାରିପଟ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶୁଦ୍ଧ ପାନୀୟ ସହିତ ସ୍ୱଛତା ଓ ପରିଷ୍କାର ରହିବାକୁ ମଧ୍ୟ କହିଥିଲେ । ଯାଜପୁର ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରର ଏପରି ସ୍ଥିତି ଚିନ୍ତାଜନକ ଥିଲା । ତୁରନ୍ତ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ସମୀକ୍ଷା କରାଯାଉଛି ।