କରୋନା: ଆଜି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟଡୋର ବନ୍ଦ ରହିବ
Khabar Odisha:State-Out-door-of-Acharya-Harihar-Cancer-Hospital-to-be-close-only-for-today

ଭୁବନେଶ୍ୱର, ଜୁଲାଇ ୦୩ (ଖବର ଓଡ଼ିଶା): କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟଡୋର ଆଜି ବନ୍ଦ ରହିବ । ମେଡିକାଲ କର୍ତ୍ତୃପକ୍ଷ ତରଫରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗତକାଲି ଏହି ହସ୍ପିଟାଲରୁ ଏକକାଳୀନ ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ଏଭଳି ନିର୍ଦ୍ଦେଶ ହୋଇଛି । 

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି, ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ୫୫ଜଣଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେହିଭଳି ନେଗେଟିଭ ଚିହ୍ନଟ ରୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ହସ୍ପିଟାଲର ଧର୍ମଶାଳରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି । ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି, ଆଜି ଦିନକ ପାଇଁ ଆଉଟଡୋରକୁ ବନ୍ଦ ରଖାଯାଇଛି । 

ସୂଚନାଯାଗ୍ୟ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଏପର୍ଯ୍ୟନ୍ତ ପ୍ରାୟ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏଥିରେ ରୋଗୀ, ରୋଗୀ ସଂପର୍କୀୟ, କୋଭିଡ ଯୋଦ୍ଧା ଓ ଆହାର କେନ୍ଦ୍ରର କର୍ମଚାରୀ ସାମିଲ । ଗତ ମାସ ୨୪ ତାରିଖରେ ଏଠାରେ ପ୍ରଥମେ ଗଂଜାମ ଜିଲ୍ଲାରୁ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣ କୋଭିଡ ଯୋଦ୍ଧା ଗତ ୨୮ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ତାରିଖରେ ହସ୍ପିଟାଲରୁ ପୁଣି ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧ ତାରିଖରେ ମଧ୍ୟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । 

 

  • Tags:

Subscribe

National International State Sports Entertainment