ଭୁବନେଶ୍ୱର: ସାରା ଓଡିଶା ଶୀତରେ ଥରୁଛି। ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡରେ ଛଟପଟ ହେଉଛି ପୂରା ରାଜ୍ୟ। ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି ବହିପାରେ। ପାଣିପାଗ ବିଭାଗ (ଆଇଏମ୍ଡି) ଏହି ଆକଳନ କରିଛି। । ୧୩ ତାରିଖରୁ ଶୀତ ସାମନ୍ୟ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।
୯ ତାରିଖ (ମଙ୍ଗଳବାର ) ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ଲହରୀ ବହିପାରେ। ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଲଗାତର ଦ୍ବିତୀୟ ଦିନ ପାଇଁ ଜି.ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି । ରବିବାର ରାତିରେ ଏଠାରେ ୪.୩ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ଵରରେ ୧୧.୯ ଓ କଟକରେ ରାତି ତାପମାତ୍ରା ୧୧.୮ ଡିଗ୍ରୀ ରହିଥିଲା।
ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖ ଯାଏ ଶୀତ ଜାରି ରହିବ। ଉତ୍ତର ଆଭ୍ୟନ୍ତର ( ସୁନ୍ଦରଗଡ଼ ଓ ଝାରସୁଗୁଡ଼ା) ଓ ପଶ୍ଚିମ ଓଡ଼ିଶା (ସମ୍ବଲପୁରରୁ ନବରଙ୍ଗପୁର) ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ରାତି ତାପମାତ୍ରା କିଛି ସ୍ଥାନରେ ବଢ଼ିପାରେ। ବାଲେଶ୍ବରରୁ ସଂଲଗ୍ନ ଗଞ୍ଜାମ ଯାଏଁ ଉପକୂଳ ଜିଲ୍ଲା ଓ ସଂଲଗ୍ନ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ନୟାଗଡ଼ ଓ ଗଜପତି ଜିଲ୍ଲାରେ ୧୧ ତାରିଖ ରାତିରେ ଶୀତ ବଢ଼ିପାରେ।