ଯାଜପୁର: ଭାରସାମ୍ୟ ହରାଇ ଯାତ୍ରୀ ବାହୀ ବସକୁ ଧକ୍କା ଦେଲା ଟ୍ରକ। ଏହାପରେ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା ସେହି ଯାତ୍ରୀବାହୀ ବସ। ତେବେ ଏହି ଦୁର୍ଘଟଣାରେ ବସର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ତେଣୁ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି। ତେବେ ଏହି ସିରିଜ ଦୁର୍ଘଟଣା ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀ ବାହୀ ବସ କଲିକତା ଅଭିମୁଖେ ଯାଉଥିଲା। ହଠାତ କୁଆଖିଆ ଛକ ନିକଟରେ ଏକ ଟ୍ରକ ବସକୁ ପଛ ପଟୁ ଧକ୍କା ଦେଇଥିଲା। ଏହି ସମୟରେ ଯାତ୍ରୀବାହୀ ବସ ଟି ଭାରସାମ୍ୟ ହରାଇ ରଙ୍ଗ ରୁଟରେ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ବସର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।