ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨ରୁ ରାଜ୍ୟରେ ଆରମ୍ଭ ହେବ ସକାଳୁଆ ସ୍କୁଲ୍ । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ଯରେ ଗ୍ରୀଷ୍ଣ ପ୍ରବାହ ଏବଂ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷ ପାନୀୟ ଜଳ, ଖାଦ୍ୟପୁଡ଼ିଆ, ଓଆରଏସ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରାଇବା ପାଇଁ ମନା କରାଯାଇଛି । ଏତଦ୍ ବ୍ୟତୀତ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ । ଆଗକୁ ଯଦି ତାତି ବଢେ ତେବେ ଅଙ୍ଗନବାଡି ଛୁଟି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଅଘୋଷିତ ବିଜୁଳି କାଟ୍ ହେବନି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଦିନ ୧୧ଟାରୁ ୫ଟା ଏବଂ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେବନାହିଁ।
ଏକ ସପ୍ତାହ ମଧ୍ଯରେ ନଳକୂପ ସ୍ଥାପନ ଓ ମରାମତି କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍ ଷ୍ଟାଣ୍ଡଗୁଡ଼ିକରେ ତୁରନ୍ତ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବାକୁ ମଧ୍ଯ ନିର୍ଦ୍ଦେଶ ରହିଛି। ବିଦ୍ୟାଳୟ, ସମେତ ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଆଖିରେ ରଖି ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।