ପୁରୀ: ଆଜି ବୁଧବାର ଚୈତ୍ର କୃଷ୍ଣ ପଞ୍ଚମୀ ତିଥି ଅବସରରେ ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି କରାଯିବ । ସଂଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ସର୍ବସାଧାରଣ ପାର୍ଶ୍ଵ ଦେବାଦେବୀଙ୍କର ଦର୍ଶନ ମଧ୍ୟ କରିପାରିବେ ।
ବନକଲାଗି ହେଉଛି ଶ୍ରୀଜୀଉଙ୍କର ଏକ ଗୁପ୍ତ ନୀତି । ଏହି ନୀତି ସମୟରେ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥାନ୍ତି । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନଙ୍କ ଦ୍ୱାରା ଏହି ନୀତି କରାଯିବ । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ଏହି ନୀତି ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଥାନ୍ତି । ଏହି ଗୁପ୍ତ ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଟକିଥାଏ ।