ଭୁୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆସିଛି ବଡ ଟୁଇଷ୍ଟ । ଏହି ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ ନବଙ୍କ ପରିବାର । ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନବ ଦାସଙ୍କ ପରିବାରକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡି ନେତା ନବ ଦାସଙ୍କ ପତ୍ନୀ ମୀନତି ଦାସ ଆବେଦନ କରିଥିଲେ ।
ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ସମୟ ଦେଇଛନ୍ତି । ସୂଚନା ଅନୁଯାୟୀ, ମିନତୀ ଦାସ ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଇମେଲ୍ ପଠାଇ ତାଙ୍କ ସହ ସାକ୍ଷାତ କରିବା ପାଇଁ ଅନୁରୋଧ କରିଥିଲେ। ଏହା ବ୍ୟତୀତ, ସାକ୍ଷାତ ପାଇଁ ଡାକ ଯୋଗେ ଏକ ଚିଠି ମଧ୍ୟ ପଠାଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମତି ମିଳିଛି। ପୂର୍ବରୁ ମିତନି ଦାସ ଚିଠି ଲେଖି ହତ୍ୟାର ସିବିଆଇ ତଦନ୍ତ ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ସମୟ ମାଗିଥିଲେ।
ଏହା ପୂର୍ବରୁ ମଙ୍ଗଳବାର ନବ ଦାସଙ୍କ ଘରେ ଦୀର୍ଘ ସାତ ଘଣ୍ଟା ଧରି ପଚରା ଉଚୁରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହି ସମୟରେ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଛି । ଆବଶ୍ୟକ ପଡିଲେ ଅନ୍ୟମାନଙ୍କର ବୟାନ ରେକର୍ଡ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।
ସୂଚନାଯୋଗ୍ୟ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବାର କିଛି ଦିନ ପରେ ନବଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ନେଇ ଅନୁରୋଧ କରାଯାଇଥିଲା। ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ନବ ଦାସଙ୍କ ପରିବାର ଯଦି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ ଚାହାନ୍ତି, ତେବେ ସେମାନେ ଏକ ଲିଖିତ ଅନୁରୋଧ ଦାଖଲ କରନ୍ତୁ।