ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସ୍ବର୍ଗତ ନବ ଦାସଙ୍କ ପରିବାର। ସ୍ତ୍ରୀ ମିନତି, ଝିଅ ଦୀପାଳି ଏବଂ ପୁଅ ବିଶାଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନବ ଦାସଙ୍କ ଝିଅ ଦୀପାଳି ଦାସ ସୂଚନା ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ତନ୍ନତନ୍ନ କରି ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯିବ ।
ଆଜି ଯାଏଁ ସନ୍ଦେହ ଘେରରେ ରହିଛି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ନବ ଦାସ ହତ୍ୟା ମାମଲା । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ଏହା ପଛରେ କ'ଣ କାରଣ ରହିଛି ତଦନ୍ତରୁ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ନବ ଦାସ ହତ୍ୟା ଘଟଣାରେ ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରିବା ପରେ କ୍ରାଇମବ୍ରାଞ୍ଚ ପୁଣି ଥରେ ଏବେ ସକ୍ରିୟ ହୋଇଉଠିଛି । ବୁଧବାର ଦ୍ୱିତୀୟ ଦିନରେ ନବଙ୍କ ଝାରସୁଗଡ଼ା ବାସଭବନକୁ ଯାଇ ପରିବାର ଲୋକଙ୍କ ବୟାନ୍ ରେକର୍ଡ କରିଛି । ଏହାପୂର୍ବରୁ ସକାଳେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ଝାରସୁଗୁଡ଼ା ଜିଲ୍ଲା ମେଡ଼ିକାଲକୁ ଯାଇ ତଦନ୍ତ କରିଥିଲେ । ନବଙ୍କ ହତ୍ୟା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତକାରୀ ଦଳ ପଚରାଉଚରା କରିଛି ।
ସେପଟେ ନବଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ଇସିଜି । ପ୍ରାଥମିକ ଚାର୍ଜସିଟ୍ ରେ ଇସିଜି ରିପୋର୍ଟ ନାହିଁ କି ଏନେଇ ଉଲ୍ଲେଖ ନାହିଁ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ । ଅନ୍ୟପଟେ ଇସିଜି ରିପୋର୍ଟ ଗାଏବ ଅଭିଯୋଗ ନେଇ ତଦନ୍ତକାରୀ ସଂସ୍ଥାର ଏଯାବତ୍ କୌଣସି ପ୍ରତିକ୍ରିୟା ମିଳିପାରିନି ।