ଭୁୁବନେଶ୍ୱର: ମାଟ୍ରିକ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ରାଜ୍ୟର ମୋଟ୍ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଲିଛି । ଏଥିରେ ପ୍ରାୟ ୧୨ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ହୋଇଛନ୍ତି । ପ୍ରତି କେନ୍ଦ୍ରରେ ୧୦ ଜଣ ମୂଲ୍ୟାୟନକାରୀଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି ।
ଚଳିତ ବର୍ଷ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୧୦ ହଜାର ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ମାସ ୨୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଚଳିତ ମାସ ୬ ତାରିଖରେ ଶେଷ ହୋଇଥିଲା । ଏହା ପରେ ବୁଧବାର ଅର୍ଥାତ ଆଜିଠୁ ଖାତା ଦେଖା ଆରମ୍ଭ ହୋଇଛି । ଖାତା ଦେଖା ଯେମିତି ତ୍ରୁଟିଶୂନ୍ୟ ରହେ ସେଥିପାଇଁ ବନ୍ଦୋବସ୍ତ କରାଯାଇଛି । ଏଥର ମାଟ୍ରିକ ପରୀକ୍ଷା ପାଇଁ ୩୧୪ ନୋଡାଲ୍ କେନ୍ଦ୍ର କରାଯାଇଥିଲା । ବିଶେଷ କରି ମାଓ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଥାନାକୁ ନୋଡାଲ ସେଣ୍ଟର କରାଯାଇଥିଲା ।
ବିଜ୍ଞାନ ପରୀକ୍ଷା ବେଳେ ସି-ସେଟ୍ ସବ୍ଜେକ୍ଟିଭରେ ୪ ନମ୍ବର ମିସ୍ ପ୍ରିଣ୍ଟ ରହିଥିଲା । ଯାହା ଉପରେ ଗ୍ରେସ୍ ମାର୍କ ମିଳିବ କି ନାହିଁ ତାହା ଏଯାଏଁ ସ୍ଥିର ହୋଇନି । ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଡକ୍ଟ କମିଟି ନିଷ୍ପତ୍ତି ନେବ ବୋଲି ପୂର୍ବରୁ କୁହାଯାଇଛି ।