ଭୁବନେଶ୍ୱର: ସ୍ଥାନୀୟ ନେତା ଫାହିମ ସମିମ୍ ଖାନ୍ ମାର୍ଚ୍ଚ ୧୭ ତାରିଖରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ବୁଧବାର ନାଗପୁର ପୋଲିସ ମାଇନୋରିଟିଜ୍ ଡେମୋକ୍ରାଟିକ ପାର୍ଟିର ସ୍ଥାନୀୟ ନେତା ଫାହିମ ସମିମ୍ ଖାନ୍ ଙ୍କୁ ଗିରଫ କରିଛି । ପୋଲିସ ଫାହିମଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କ ନାମରେ ଗଣେଷ୍ପେଠ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହାର କିଛି ଘଣ୍ଟା ମଧ୍ୟରେ ଆରୋପି ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେଉଥିବାର ଫୋଟୋ ଓ ଭିଡ଼ିଓ ମଧ୍ୟ ଜାରି କରାଯିବା ସହିତ ତାଙ୍କୁ ଗିରଫ କରାଯାଇଥିଲା । ଯଶୋଧାରା ନଗରର ସଞ୍ଜୟ ବାଗ କଲୋନୀର ବାସିନ୍ଦା ଏହି ନେତାଙ୍କୁ ପୋଲିସ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରଖି ପଚାରାଉଚୁରା କରିବ ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ମତ ଅନୁଯାୟୀ ପ୍ରାଥମିକ ତଦନ୍ତ ଓ ଭିଡ଼ିଓ ପ୍ରମାଣରୁ ନେତାଙ୍କ ବିସ୍ଫୋରକ ଭାଷଣ ଯୋଗୁଁ ଏହି ଦଙ୍ଗା ଘଟିଥିବାର ସ୍ପଷ୍ଟ ଅନୁମେୟ । ଯାହା ଫଳରେ ଦୁଇ ଦଳ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ହେବା ସହିତ ବହୁ ଲୋକ ଆହତ ହୋଇଥିଲେ ଏବଂ ସମଗ୍ର ଅଞ୍ଚଳରେ ଅସ୍ଥିରତା ଦେଖା ଦେଇଛି ।
ପୋଲିସ ସୂତ୍ରରୁ ପ୍ରକାଶ ଆଞ୍ଚଳିକ ନେତା ଫାହିମ ଖାନ ହିଁ ହିଂସା ପଛର ମୁଖ୍ୟ ଆସାମୀ । ତାଙ୍କର ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁଁ ଲୋକେ ପ୍ରଭାବିତ ହୋଇଥିବା ସୂଚନା । ନାଗପୁରରେ ଘଟିଥିବା ହିଂସାରେ ଅନେକ ବ୍ୟକ୍ତି ଆହତ ହେବା ସହିତ ସେହି ଅଞ୍ଚଳରେ ପରିବେଶ ଅଶାନ୍ତ ରହିଛି ।
ସୋମବାର ନାଗପୁରର ଚିଟନିସ ପାର୍କ ନିକଟରେ ଏହି ସାମ୍ପ୍ରଦାୟିକ ଦଙ୍ଗା ଦେଖା ଦେଇଥିଲା । ସୂଚନା ଅନୁଯାୟୀ ସମ୍ପ୍ରଦାୟର ପବିତ୍ର ପୁସ୍ତକକୁ ଅପମାନ କରିବା ଓ ଛତ୍ରପତି ସଂଭାଜୀ ନଗରରୁ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧି ହଟାଇବା ନେଇ ଦୁଇ ଦଳ ମଧ୍ୟରେ ମତଭେଦ ଦେଖା ଦେଇଥିଲା । ଏହାପରେ ପରିସ୍ଥିତି ବିଗିଡ଼ିବା ସହିତ ପୋଲିସ ଅଧିକାରୀଙ୍କ ଉପରେ ମଧ୍ୟ ପଥର ମଦ କରାଯାଇଥିଲା । ଯାହାଫଳରେ ୩୪ ଜଣ ଆହତ ହୋଇଥିବା ସୂଚନା ମିଳୁଛି ।
ଏହାପରେ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ତୁରନ୍ତ ଏଫଆଇଆର ୠଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବର୍ତମାନ ନାଗପୁର ଅଞ୍ଚଳରେ ଆଇନପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ୨୦୦୦ ରୁ ଉର୍ଧ୍ଵ ସଶସ୍ତ୍ର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି ।