ଗୁଜୁରାଟ: ଦୀର୍ଘ ୯ ମାସ ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମସ୍ । ଏହି ଖୁସିରେ ତାଙ୍କ ପୈତୁକ ଗାଁ ଭାରତରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସୁନୀତାଙ୍କ ଫେରିବାକୁ ସାରା ବିଶ୍ୱ ଅପେକ୍ଷା କରି ରହିଥିଲା । ଗୁୁଜୁରାଟର ମେହସାନା ଜିଲ୍ଲାରେ ଥିବା ତାଙ୍କ ପୈତୁକ ଗାଁରେ ଲୋକେ ତାଙ୍କ ଫେରିବା ପାଇଁ ଆଳତୀ ଜାଳି ପ୍ରାର୍ଥନା କରୁଥିଲେ । ଆଉ ସେ ଫେରିଆସିବା ପରେ ବାଜା ବଜାଇ ବାଣ ଫୁଟାଇ ଖୁସି ମନାଇଛନ୍ତି । ଡ୍ରାଗନ ମହାକାଶଯାନର ସଫଳ ଅବତରଣ ପରେ ଏହି ଉତ୍ସବ ଦେଖିବାକୁ ମିଳିଥିଲା ।
ଏହା ପୂର୍ବରୁ ସୁନୀତାଙ୍କ ସମ୍ପର୍କୀୟ ଭାଇ ମଙ୍ଗଳବାର ଅହମ୍ମଦାବାଦରେ ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଯଜ୍ଞ କରିଥିଲେ । ଏଥିସହ ପୈତୁକ ଗାଁ ଗଜ୍ଜର ହାଇସ୍କୁଲରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଗରବା ପ୍ରଦର୍ଶନ କରାଯାଇଥିଲା । ଦେଶର ଏହି ବୀର ସାହାସୀ ଝିଅ ଆଜି ସାରା ବିଶ୍ୱ ପାଇଁ ଗର୍ବିତ । ଏହା ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଭାରତ ଆସିବା ନେଇ ଗ୍ରାମାବାସୀ ମାନେ ଆଶାବାଦୀ ଅଛନ୍ତି । ପୂର୍ବରୁ ସେ ପ୍ରଥମେ ୨୦୦୬ ଏବଂ ପରେ ୨୦୧୨ ମସିହାରେ ୩ଥର ପାଇଁ ପୈତୁକ ଗାଁକୁ ଆସିଥିଲେ । ଏବେ ତାଙ୍କୁ ଆଉ ଥରେ ସ୍ୱାଗତ କରିବାକୁ ଅପେକ୍ଷା କରିଛି ସାରା ଦେଶ ।