ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଭୋଟର କାର୍ଡକୁ ଆଧାର ସହ ସଂଯୋଗ କରିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ଆଲୋଚନା ହୋଇଛି । କମିଶନର ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକ୍ରିୟା ସଂପୂର୍ଣ୍ଣ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଧାରରେ ହେବ ।
ଭୋଟର ଆଇଡିକୁ ଆଧାର ସହ ଯୋଡ଼ିବ ପ୍ରକ୍ରିୟା ସମ୍ୱିଧାନର ଅନୁଚ୍ଛେଦ ୩୨୬ ଓ ଜନ ପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୨୩(୪),୨୩(୫) ଓ ୨୩ (୬) ଆଧାରରେ ହେବ । ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲେଖ କରି କହିଛନ୍ତି ଯେ ଆଧାର କାର୍ଡ କେବଳ ଏକ ପରିଚୟର ପ୍ରମାଣ ପତ୍ର, ନାଗରିତାର ନୁହେଁ । ଭାରତୀୟ ନାଗରିକ ହିଁ ମତଦାନ ସୂଚୀରେ ଯେପରି ସାମିଲ ହେବେ ତାହା ଆଧାର ଲିଙ୍କ୍ ପ୍ରକ୍ରିୟାରେ ସୁନିଶ୍ଚିତ କରାଯିବ ।
ଆୟୋଗ କହିଛନ୍ତି, ସମ୍ବିଧାନ ଅନୁସାରେ ମତଦାନର ଅଧିକାର କେବଳ ଭାରତୀୟଙ୍କୁ ହିଁ ମିଳିବ । ଆଧାର କେବଳ ବ୍ୟକ୍ତିଙ୍କ ପରିଚୟ ପ୍ରମାଣିତ କରିବ, ନାଗରିକତା ନୁହେଁ । ଏଥିପାଇଁ ଏହି ପ୍ରକ୍ରିୟାକୁ ଆଇନ ପରିଧିରେ ରଖାଯିବ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁରୂପ ଆଗକୁ ବଢିବୁ ।
ଦେଶରେ ନିରପେକ୍ଷ ଓ ପାରଦର୍ଶୀ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ମତଦାନ ସୂଚୀରେ ତ୍ରୁଟିର ସ୍ଥାୟୀ ଓ ବୈଜ୍ଞାନିକ ସମାଧାନ ବାହାର କରିବା ଦିଗରେ ଏହି ପଦକ୍ଷେପ ନେଇଛନ୍ତି । ୟୁଆଇଡିଏଆଇ ଓ ଇସିଆଇର ବୈଷୟିକ ଟିମ ଖୁବଶୀଘ୍ର ଏହା ଉପରେ ଆଲୋଚନା ଆରମ୍ଭ କରିପାରନ୍ତି । ଏହି ପୂରା ପ୍ରକ୍ରିୟାକୁ ସାଇବର ସୁରକ୍ଷା ଓ ଗୋପନୀୟତାକୁ ଧ୍ୟାନରେ ରଖି କରାଯିବ ।