ମୁୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଔରଙ୍ଗଜେବର କବର ହଟାଇବା ଦାବିରେ ସୋମବାର ଖୁବ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି ସମୟରେ ମୁସଲିମଙ୍କ ପବିତ୍ର ଗ୍ରନ୍ଥ ଜଳାଯିବାର ଗୁଜବ ବି ପ୍ରଚାର ହେଲା । ପରିଣାମସ୍ୱରୂପ ସହରରେ ଦଙ୍ଗା ସ୍ଥିତି ଉପୁଜିଲା । ଗାଡି ଜଳାପୋଡା, ଦୋକାନ ଭଙ୍ଗାରୁଜା, ଟେକା ପଥର ମାଡ ସବୁ ଘଟିଲା । ଏଥିରେ ଛଅ ଜଣ ବି ଆହତ ହୋଇଛନ୍ତି । ଏହା ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ଔରଙ୍ଗଜେବଙ୍କ କବର ହଟାଯାଇ ସେହି ସ୍ଥାନରେ ପୂଜ୍ୟ ଧନାଜୀ, ସନ୍ତା ଜୀ, ଛତ୍ରପତି ରାଜାରାମ ମହାରାଜ ଜୀଙ୍କ ସ୍ମାରକ ସ୍ଥାପନ କରିବାକୁ ଦାବି କରିଛି ।
ଧନାଜୀ ଯାଦବ ଓ ସନ୍ତାଜୀ ଧୋରପଡେ ମରାଠା ସେନାର ନାୟକ ଥିଲେ । ଉଭୟ ଛତ୍ରପତି ରାଜାରାମଙ୍କ ଶାସନକାଳରେ ସେନାର ନେତୃତ୍ୱ ନେଉଥିଲେ । ଅନେକ ଯୁଦ୍ଧରେ ମୋଗଲ ସେନାକୁ ମାତ୍ ବି ଦେଇଥିଲେ । କେବଳ ଏତିକି ନୁହେଁ ମରାଠା ଶାସନରେ ଗୁଜରାଟରେ ସାମ୍ରାଜ୍ୟ ବିସ୍ତାରରେ ମଧ୍ୟ ଧନାଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସନ୍ତାଜୀ ଧୋରପଡେଙ୍କୁ ଗରିଲା ଯୁଦ୍ଧର ବିଶେଷଜ୍ଞ ବୋଲି କୁହାଯାଏ ।
ରାଜାରାମ ରାଜେ ଭୋସଲେ ମହାରାଜ ଛତ୍ରପତି ଶିବାଜୀଙ୍କ ସାନ ପୁଅ ଥିଲେ । ସେ ସମ୍ଭାଜି ରାଓଙ୍କ ସାବତ ଭାଇ ଥିଲେ । ଔରଙ୍ଗଜେବ ଦ୍ୱାରା ସମ୍ଭାଜି ରାଓଙ୍କ ନିର୍ମମ ହତ୍ୟା ପରେ ରାଜାରାମ ରାଜେ ମରାଠା ଗାଦି ସମ୍ଭାଳିଥିଲେ । ସେ ୧୧ ବର୍ଷ ଧରି ସେନାଙ୍କ ମନୋବଳ ବଢାଇଥିଲେ । ତାଙ୍କ କାର୍ଯ୍ୟକାଳ ୧୧ ବର୍ଷ ଥିଲା, ଯେଉଁଥିରେ ସେ ଅଧିକାଂଶ ସମୟ ମୋଗଲଙ୍କ ସହ ଯୁଦ୍ଧରେ ବ୍ୟସ୍ତ ରହିଲେ ।
ସେ ୧୬୮୯ ଜୁନ ୧୦ରେ ପ୍ରତାପଗଡ ନିକଟରେ ମୋଗଲି ସରଦାର କାକରଖାନ ବିରୋଧରେ ପ୍ରଥମ ଲଢେଇ ଲଢିଥିଲେ । ଆଉ ଏହି ତିନି ମହାନ ବ୍ୟକ୍ତିତ୍ୱଙ୍କ ସ୍ମାରକ ନିର୍ମାଣ କରିବାକୁ ଦାବି କରିଛି ବିଶ୍ୱ ହିନ୍ଦୁ ପରିଷଦ । ଭିଏଚପିର କହିବା କଥା ଔରଙ୍ଗଜେବଙ୍କ କବର ହଟାଯାଇ ସେହି ସ୍ଥାନରେ ଏହି ତିନି ବୀରପୁତ୍ରଙ୍କ ସ୍ମାରକ ନିର୍ମାଣ କରାଯାଉ ।