ଭୁୁବନେଶ୍ୱର : ଚୈତ୍ର ମାସ ଆରମ୍ଭ ନ ହେଉଣୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ତାତିରେ ଡହଳ ବିକଳ ହେଲେଣି ଲୋକେ । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳ ୭ରୁ ୯ଟା ଅଙ୍ଗନବାଡ଼ି ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ସହ ଦିନ ୧୧ରୁ ସଂଧ୍ୟା ୫ ପର୍ୟ୍ୟନ୍ତ ଏବଂ ରାତି ୯ରୁ ସକାଳ ୬ ବିଦ୍ୟୁତ୍ କାଟ ନକରି ତଥା ଅଘୋଷିତ ବିଦ୍ୟୁତ କାଟ୍ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଜିଲ୍ଲାପାଳମାନଙ୍କୁ ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା ଏସଓପି ଜାରି କରାଯାଇଛି ତାହାକୁ ପାଳନ କରିବାକୁ କହିବା ସହ, ଆବଶ୍ୟକସ୍ଥଳେ ଏସଓପି ବାହାରେ ମଧ୍ୟ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଜିରୋ କାଜୁଆଲ୍ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।
ଅଘୋଷିତ ବିଦ୍ୟୁତ କାଟ୍ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦିନ ୧୧ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ଏବଂ ରାତି ୯ରୁ ସକାଳ ୬ ବିଦ୍ୟୁତ୍ କାଟ ନକରି ତଥା ଅଘୋଷିତ ବିଦ୍ୟୁତ କାଟ୍ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ ହଜାରରୁ ଅଧିକ ନଳକୂପ ମଞ୍ଜୁର କରାଯାଇଛି । କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।