ଭୁବନେଶ୍ୱର: ରାଜ୍ୟ ସରକାର ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ହେବା ନେଇ ଦେଖା ଦେଇଥିବା ଅନିୟମିତତାକୁ ଦୃଢ଼ ଭାବେ ଦମନ କରିବାକୁ ଅଣ୍ଟା ଭିଡିଛନ୍ତି। ଏଣିକି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ, ସମ୍ପୃକ୍ତ କମ୍ପାନୀକୁ କଳା ତାଲିକାଭୁକ୍ତ କରିବେ ସରକାର। ମଙ୍ଗଳବାର ବିଧାନସଭାରେ ଏଭଳି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ।
ଗୃହରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା। ସେଥିରୁ ୫୨ଟି ଶେଷ ହୋଇଥିଲା ବେଳେ ଆସନ୍ତା ଜୁନ୍ ସୁଦ୍ଧା ସବୁ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୫ ଶେଷ ସୁଦ୍ଧା ଆଉ ୪୦ଟି ନୂଆ ପ୍ରକଳ୍ପ ସରିବ।
ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ଥିବା ଜନବସତିରେ ପାଣି ପହଞ୍ଚାଇବାକୁ ଯୋଜନା କରିଛନ୍ତି ସରକାର। ଧାର୍ଯ୍ୟ ସମୟରେ କାମ ନ କଲେ ପରିବର୍ତ୍ତନ ହେବେ ଠିକାଦାର। ଅବହେଳା କଲେ ଆବଶ୍ୟକ ସ୍ଥଳେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ। ଏପରିକି ଦରକାର ପଡ଼ିଲେ ସେମାନଙ୍କ ନାଁରେ ଏତଲା ହେବ।
ମନ୍ତ୍ରୀ କହିଛନ୍ତି, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉ ନ ଥିବାରୁ ବିଭିନ୍ନ ଠିକା ସଂସ୍ଥାଙ୍କ ଉପରେ ଜରିମାନା କରାଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ନେଇ ବୈଠକ କରାଯିବା ସହ ସମ୍ପୃକ୍ତ କମ୍ପାନୀଗୁଡିକୁ ତାଗିଦ କରାଯିବ ବୋଲି ସେ କହିଛନ୍ତି।