ଗତକାଲି ବିଶ୍ୱ ନଦୀ ଦିବସ ଅବସରରେ ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ଭର୍ଚୁଆଲ୍ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ସେପ୍ଟେମ୍ବର ମାସ ଚତୁର୍ଥ ରବିବାରରେ ବିଶ୍ୱ ନଦୀ ଦିବସ ପାଳନ କରାଯାଏ । ଦେଶରେ ନଦୀଗୁଡ଼ିକର ମୃତ୍ୟୁ ହେବାରେ ଲାଗିଛି ଏନେଇ ଏଥିରେ ଭାଗ ନେଇଥିବା ବକ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଶିଳ୍ପ ଭିତ୍ତିଭୂମି ଓ ବିକାଶ ନାମରେ ନଦୀଗୁଡ଼ିକର ପ୍ରାକୃତିକ ପ୍ରବାହକୁ ରୋକିବା, ନଦୀ ଜଳକୁ ବ୍ୟବସାୟିକ ସ୍ୱାର୍ଥରେ ଲଗାଇବା, ସହରଗୁଡ଼ିକର ଆବର୍ଜନା, ପ୍ଲାଷ୍ଟିକ ଆଦି ସାମଗ୍ରୀ ନଦୀ ଗର୍ଭକୁ ଛଡ଼ା ଯାଉଥିବାରୁ ନଦୀ ଜଳ ମଣିଷ ଓ ଜୀବଜନ୍ତୁଙ୍କ ଉପରେ ପ୍ରଭାବ ପଡୁଛି । ଏହି ଅବସରରେ ନଦୀଗୁଡ଼ିକର ସୁରକ୍ଷା, ସଂରକ୍ଷଣ ଓ ପୁନଃଜୀବନ ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ ହୋଇଛି, ଯାହାକି ଡିସେମ୍ବର ୧୦ ବିଶ୍ୱ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ଚାଲିବ ।
ସାରା ଦେଶରେ ସଭା, ସମିତି, ପ୍ରଦର୍ଶନ, ନଦୀକୂଳରେ ପଦଯାତ୍ରା, ଜଳ ଶପଥ ଓ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ ପରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଅଭିଯାନର ଉଦେଶ୍ୟ ରହିଛି । ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲାଗିରହିଛି ମହାନଦୀ ଜଳ ବଣ୍ଟନର ବିବାଦ । ତେବେ ମହାନଦୀ ଟ୍ରିବୁନାଲରୁ ତୁରନ୍ତ ନ୍ୟାୟ ମିଳିବା ସମ୍ଭାବନା କମ୍ ରହିଛି ବୋଲି ଜଣାପଡିଛି । ଚାଷୀ, ମତ୍ସ୍ୟଜୀବୀ ଓ କାରିଗରଙ୍କ ସ୍ୱାର୍ଥ ଦୁଷ୍ଟିରୁ ମହାନଦୀ ଅବବାହିକାରେ ଜୈବ ବିବିଧତା, ପ୍ରାକୃତିକ ସମ୍ପଦ ସୁରକ୍ଷା, ଜୀବଜନ୍ତୁଙ୍କ ବଂଶ ରକ୍ଷା ପାଇଁ ୫ ବର୍ଷ ମଧ୍ୟରେ ଟ୍ରିବୁନାଲର ପ୍ରାଥମିକ ଅନୁସନ୍ଧାନ ଓ ତଥ୍ୟ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସାରିଥିବାରୁ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ତୁରନ୍ତ ଜାରି କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏଥିସହ ମହାନଦୀର ବର୍ତମାନ ସ୍ଥିତି ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଆହ୍ୱାନ ମଧ୍ୟ ଦିଆଯାଇଛି । ତେବେ ଏହି ନଦୀ ଗୁଡିକର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଣ ପଦକ୍ଷେପ ରହୁଛି ତାହା ଦେଖିବକୁ ଓଡିଶା ବାସୀ ଅପେକ୍ଷାରେ ଅଛନ୍ତି ।
ଅଧିକ ପଢନ୍ତୁ :ସୋଆ କ୍ୟାମ୍ପସ୍ରେ ଆୟୋଜିତ ହୋଇଛି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍”