ଭୁବନେଶ୍ୱର: ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ସମୀକ୍ଷା କରାଯାଇଛି। ଗରିବ ବାପା-ମା’ଙ୍କ ଉପରୁ ଝିଅ ବାହାଘରର ବୋଝ ହାଲକା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେବାକୁ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।କାର୍ଯ୍ୟକାରୀ ହେବାକୁ ଥିବା ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗରିବ, ଅସହାୟ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବା ପରିବାରଙ୍କୁ ତାଙ୍କର କନ୍ୟା ବିବାହ ପାଇଁ ଅଶେଷ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ଯୋଜନାରେ ବିଧବା ଝିଅ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିବାହକୁ ସାମୁହିକ ସ୍ତରରେ ଆୟୋଜନ କରିବା ପାଇଁ ମଧ୍ୟ ସେ କହିଥିଲେ। ଯଥାଶୀଘ୍ର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରି ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ଦାୟିତ୍ୱ ଦେଇଥିଲେ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଫାଉଣ୍ଡେସନ୍ ଷ୍ଟେଜ୍ରେ ନିଜ ମାତୃଭାଷାରେ ପିଲାକୁ ଶିକ୍ଷା ପ୍ରଦାନ କଲେ ଆତ୍ମ ବିଶ୍ୱାସ ବଢିବ ଏବଂ ଆଗାମୀ ଦିନରେ ପାଠ ପ୍ରତି ଆଗ୍ରହ ବଢିବା ସହିତ ସହଜ ମଧ୍ୟ ହେବ। ପିଲା ମାନଙ୍କୁ ତାଙ୍କ ନିଜ ପରିବେଶରେ ସେ ଦେଖୁଥିବା ବସ୍ତୁ, ପ୍ରାଣୀ, କିମ୍ବା ବ୍ୟବହୃତ ସାମଗ୍ରୀ ସମ୍ପର୍କିତ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ସଚିତ୍ର ପୁସ୍ତକ ପ୍ରକାଶନ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ୨୦୧୪ରୁ ଏହା ଆରମ୍ଭ ହୋଇଛି, କିନ୍ତୁ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଅଧିକ ମାନବ ସମ୍ବଳ ସୃଷ୍ଟି ସହିତ ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।
ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୧୦,୬୨୯ଟି ଅଙ୍ଗନବାଡି କେନ୍ଦ୍ରରେ ୧୭ଟି ଦେଶୀୟ ଭାଷାରେ ପିଲାମାନଙ୍କୁ ପ୍ରାରମ୍ଭିକ ଶ୍ରେଣୀରେ ନିଜ ମାତୃଭାଷାରେ ଶିକ୍ଷାଦାନ କରାଯାଉଛି। ଜାତୀୟ ଶିକ୍ଷାନୀତି ୨୦୨୦ରେ ମଧ୍ୟ ଏହି ବହୁଭାଷୀ ପ୍ରାକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଏହି ମାତୃଭାଷା ଭିତ୍ତିକ ପ୍ରାକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ଓଡିଶା ଦେଶରେ ପ୍ରଥମ।