ରାୟପୁର: ଛତିଶଗଡ଼ ନାରାୟଣପୁର ଜଙ୍ଗଲରେ ଏକ ବଡ଼ ଧରଣର ମାଓ ଏନକାଉଣ୍ଟର ହୋଇଛି । ଆବୁଝମାଡ଼ ଜଙ୍ଗଲରେ ୩୦ ମାଓବାଦୀ ନିପାତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିରେ ଟପ୍ ମାଓନେତା ବସବରାଜନ୍ ନିହତ ହୋଇଛି । ତା ନାଁରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଜଣାପଡ଼ିଛି ।
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, ଆବୁଝମାଡ଼ ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଡିଆରଜି ପକ୍ଷରୁ ୪ ଟି ଜିଲ୍ଲା ନାରାୟଣପୁର, ଦନ୍ତେୱାଡ଼ା, ବୀଜାପୁର ଓ କୋଣ୍ଡାଗାଓଁରେ ଏହା ପରେ ସୁରକ୍ଷାବାହିନୀ ପକ୍ଷରୁ ମିଳିତ ତଲାସୀ ଅଭିଯାନ ଜାରି କରାଯାଇଥିଲା । ଏହି ସମୟରେ ଦୁଇ ପକ୍ଷ ମଧ୍ୟ ବିପୁଳ ପରିମାଣରେ ଗୁଳି ବିନିମୟ ହୋଇଥିଲା । ମାତ୍ର ସୁରକ୍ଷାବାହିନୀଙ୍କ ଗୁଳିକୁ ସାମ୍ନା କରିପାରିନଥିଲା ଲାଲବାହିନୀ । ଫଳରେ ଜଣକ ପରେ ଜଣେ ୩୦ ଜଣ ମାଓବାଦୀ ଟଳିଛନ୍ତି ।
ଏଥିରେ ଟପ୍ କ୍ୟାଡର୍ ମାଓବାଦୀ ବସବରାଜନ୍ ନିହତ ହୋଇଛି । ତାର ନାଁରେ କୋଟିଏ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ଏ ସମ୍ପର୍କିତ ଖବର ସଂଗ୍ରହ ଜାରି ରହିଛି ।