ରାଉରକେଲା : ଦିନକୁ ଦିନ ବଢ଼ିଚାଲିଛି ଲାଞ୍ଚୁଆ ବଡ଼ବଡ଼ିଆ ବାବୁଙ୍କର ଦୁର୍ନୀତି। ଲାଞ୍ଚ ନେଇ ଅନେକ ସମୟରେ ଧରା ପଡ଼ୁଛନ୍ତି ଏହି ବାବୁମାନେ। ତେବେ ପୁଣି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଫରେଷ୍ଟ ରେଞ୍ଜର ଡେପୁଟୀ ରେଞ୍ଜର। ସରକାରୀ କାମରେ ନିୟୋଜିତ ଗାଡ଼ି ଭଡ଼ା ବିଲ୍ କରାଇଦେବା ପାଇଁ ସେ ଗାଡ଼ି ମାଲିକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଏହି ସମୟର ଭିଜିଲାନ୍ସ ଟିମ୍ ତାଙ୍କୁ ଟ୍ରାପ କରିଥିଲେ। ଏହାପରେ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ରାଉରକେଲା ବାସନ୍ତୀ କଲୋନୀରେ ଥିବା ଡେପୁଟୀ ରେଞ୍ଜର ଅସିତ କୁମାର ପଟ୍ଟନାୟକଙ୍କ ଘରୁ ମିଳିଛି ନଗଦ ୮ ଲକ୍ଷ ୩୭ ହଜାର ଟଙ୍କା। ଏଥିସହ ୩୯୦ ଗ୍ରାମ ସୁନା ଅଳଙ୍କାର ମିଳିଛି। ତେବେ ଏ ନେଇ ଭିଜିଲାନ୍ସ ପକ୍ଷରୁ ଡେପୁଟି ରେଞ୍ଜରଙ୍କୁ ଅଧିକ ପଚରାଉଚରା କରାଯାଉଛି।