କେତେବେଳେ ଶିଶୁ ବୋରୱେଲରୁ ଉଦ୍ଧାର ହେଉଛନ୍ତି ତ ପୁଣି କେତେବେଳେ ରାସ୍ତା କଡ଼ରୁ । କିନ୍ତୁ ରାୟଗଡ଼ ବସଷ୍ଟାଣ୍ଡ ସାମ୍ନାରୁ ଅଖା ଭିତରୁ ଉଦ୍ଧାର ହୋଇଛି ନବଜାତ ଶିଶୁର ମୃତଦେହ । ସୂଚନା ଅନୁସାରେ, ରାୟଗଡ଼ ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ସଫେଇ କର୍ମଚାରୀ ସଫା କରିବା ସମୟରେ ବସଷ୍ଟାଣ୍ଡ ସାମ୍ନାରେ ଅଖା ପଡିଥିବାର ଦେଖିଥିଲେ । ପରେ ଅଖା ଖୋଲି ଦେଖିଲାବେଳକୁ ଅଖା ଭିତରେ ଥିଲା ନବଜାତ ଶିଶୁର ମୃତଦେହ । ଶିଶୁ ଶରୀରରେ ମଧ୍ୟ ମେଡିକାଲ ସ୍ଟିପ୍ ଲାଗିଛି । ଯେଉଁଥିରେ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାମ ମଧ୍ୟ ଲେଖା ହୋଇଛି । ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଛି । ନବଜାତ ଶିଶୁ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କେଉଁ କାରଣରୁ ଶିଶୁଟିର ମୃତ୍ୟୁ ହେଲା ଓ କିଏ ଓ କାହିଁକି ଶିଶୁଟିକୁ ଏପରି ଅବସ୍ଥାରେ ଫିଙ୍ଗି ଦେଇଛି । ବର୍ତ୍ତମାନ ଏହି ସବୁ ତଥ୍ୟର ଯାଞ୍ଚ କରୁଛି ପୋଲିସ ।