ଭୁବନେଶ୍ବର: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନତନ ଅଧିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଡାକ୍ତର ଗୌତମ ଶତପଥୀ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପ୍ରତି ପ୍ରଫେସର ଶତପଥୀ ଅସ୍ଥିଶଲ୍ୟ ବିଭାଗରେ କାର୍ଯ୍ୟରତ ଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ତେବେ ପୂର୍ବରୁ ଏସସିବିରେ କାମଚଳା ଅଧିକ୍ଷକ ଭାବେ ଦାୟିତ୍ୱରେ ଥିଲେ ପ୍ରଫେସର ଡାକ୍ତର ଲୁସି ଦାସ। ପ୍ରଫେସର ଦାସଙ୍କୁ ୨୦୨୪ ଅଗଷ୍ଟ ମାସରେ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବରରୁ ଅଧିକ୍ଷକ ପଦବୀ ଖାଲି ପଡିଥିବା ବେଳେ ରାଜ୍ୟ ସରକାର କେବେ ପୂର୍ଣ୍ଣକାଳୀନ ଅଧିକ୍ଷକ ନିଯୁକ୍ତ କରିବେ ସେ ନେଇ ସତ୍ୟପାଠ ଜରିଆରେ ଜଣାଇବାକୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।
ଡା ଶତପଥୀଙ୍କ ନେତୃତ୍ବରେ ଏସସିବି ମେଡିକାଲ କଲେଜରେ ରୋଗୀ ସେବା ବୃଦ୍ଧି, ଚିକିତ୍ସା କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ତାଙ୍କର ପ୍ରଶାସନିକ ବିଶେଷଜ୍ଞତା ପ୍ରତିଷ୍ଠାନରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଏବଂ ଚିକିତ୍ସା ଗବେଷଣାକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।