ନୂଆଦିଲ୍ଲୀ: ପାକିସ୍ତାନ ସହ ଉତ୍ତେଜନା କାରଣରୁ ଭାରତ ପଡ଼ୋଶୀ ଆତଙ୍କୀ ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚାଲିଛି। ୯ ଆତଙ୍କୀ ଆଡ୍ଡା ସହ ୧୧ ଏୟାରବେସ୍କୁ ଧ୍ଵଂସ କରିବା ପରେ ଏବେ ଭାରତ ସରକାର ଆଉ ଏକ ଆକ୍ସନ ନେଇଛନ୍ତି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ ଇଣ୍ଡିଆ ଏବଂ ୱାଲମାର୍ଟ ମାଲିକାନା ଫ୍ଲିପକାର୍ଟ ସମେତ ଇ-କମର୍ସ କମ୍ପାନୀଗୁଡ଼ିକୁ ନୋଟିସ ଜାରି କରି ସେମାନଙ୍କ ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଥିବା ଜିନିଷଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।
ପାକିସ୍ତାନୀ ପତାକା ଏବଂ ସମ୍ପର୍କିତ ଜିନିଷ ବିକ୍ରିକୁ ବରଦାସ୍ତ କରାଯିବ ନାହିଁ ବୋଲି ୟୁବାଏ ଇଣ୍ଡିଆ, ଇଟିସି, ଦି ଫ୍ଲାଗ୍ କମ୍ପାନୀ ଏବଂ ଦି ଫ୍ଲାଗ୍ କର୍ପୋରେସନକୁ ମଧ୍ୟ ନୋଟିସ ପଠାଯାଇଛି। ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି ଯେ ସମସ୍ତ ଇ-କମର୍ସ କମ୍ପାନୀଗୁଡ଼ିକୁ ଏହି ନିର୍ଦ୍ଦେଶଗୁଡ଼ିକ ପାଳନ କରିବାକୁ ପଡିବ।
ଇ-କମର୍ସ କମ୍ପାନୀଗୁଡ଼ିକୁ ଜାରି ହୋଇଛି ନୋଟିସ୍
ସିସିପିଏ ଟ୍ୱିଟରରେ ପୋଷ୍ଟ କରିଛି ଯେ ପାକିସ୍ତାନୀ ପତାକା ଏବଂ ସମ୍ପର୍କିତ ସାମଗ୍ରୀ ବିକ୍ରି କରିବା ଉପରେ ଆମାଜନ, ଫ୍ଲିପକାର୍ଟ, ୟୁବାଏଇଣ୍ଡିଆ, ଏଟସି, ଦି ଫ୍ଲାଗ୍ କମ୍ପାନୀ ଏବଂ ଦି ଫ୍ଲାଗ୍ କର୍ପୋରେସନକୁ ନୋଟିସ ଜାରି କରିଛି। ଏପରି ଅସମ୍ବେଦନଶୀଳ କାମକୁ କଦାପି ବରଦାସ୍ତ କରାଯିବ ନାହିଁ। ଇ-କମର୍ସ ପ୍ଲାଟଫର୍ମକୁ ଏପରି ସମସ୍ତ ବିଷୟବସ୍ତୁକୁ ତୁରନ୍ତ ହଟାଇବା ଏବଂ ଜାତୀୟ ଆଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରହଲ୍ଲାଦ ଜୋଶୀଙ୍କୁ ଭାରତରେ କାର୍ଯ୍ୟ କରୁଥିବା ଇ-କମର୍ସ ପ୍ଲାଟଫର୍ମରେ ପାକିସ୍ତାନୀ ପତାକା ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୟ ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲା। ଆଉ ସରକାର ଏହା ଉପରେ ତ୍ଵରିତ ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ ୬-୭ ତାରିଖ ରାତିରେ ଅପରେସନ ସିନ୍ଦୂର ଚଳାଇଥିଲେ। ଏଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର ସ୍ଥିତ ୯ ଆତଙ୍କବାଦୀ ଶିବିର ଉପରେ ଜୋରଦାର ହମଲା କରିଥିଲା। ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ୮, ୯ ଏବଂ ମେ ୧୦ରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ରହିଥିଲା।