ପଞ୍ଜାବ: ପଞ୍ଜାବର ଭଠିଣ୍ଡା ସେନା କ୍ୟାଣ୍ଟ ପୁଲିସ ପାକିସ୍ତାନ ଲାଗି ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଜଣେ ଦରଜୀ ରକିବଙ୍କୁ ଗିରଫ କରିଛି । ରକିବ ଉତ୍ତରାଖଣ୍ଡ ରୁର୍କିରର ବାସିନ୍ଦା । ସେନା କ୍ୟାଣ୍ଟର ଅଧିକାରୀମାନଙ୍କୁ ରକିବଙ୍କର ଗତିବିଧି ନେଇ ସନ୍ଦେହ ହେବାରୁ ସେମାନେ ବଠିଣ୍ଡା ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୁଲିସ ରକିବଙ୍କୁ ଗିରଫ କରିଛି।
ଇତିମଧ୍ୟରେ ଫିରୋଜପୁର ମମଦୋଟରେ ମଙ୍ଗଳବାର ସକାଳୁ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଥିଲା । ବିଏସଏଫ୍ ଯବାନମାନେ ଡ୍ରୋନ୍ ଉପରକୁ ପ୍ରାୟ ୨୫୦ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ଡ୍ରୋନ୍ ପାକିସ୍ତାନ ପଟକୁ ଫେରି ଯାଇଥିଲା। ସେପଟେ ଫିରୋଜପୁରରେ ମେ ୯ରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଗୁରୁତର ଭାବେ ଜଳିଯାଇଥିବା ଜଣେ ୫୦ ବର୍ଷୀୟ ମହିଳା ଆଜି ପ୍ରାଣ ହରାଇଛନ୍ତି।
ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ଆକ୍ରମଣ ଆଶଙ୍କାରେ ମେ ୯ ତାରିଖ ଦିନ ଫିରୋଜପୁରରେ ରାତି ୯ଟାରେ ବ୍ଲାକଆଉଟ ଘୋଷଣା କରାଯାଇଥିଲା । ତେବେ ତାର କିଛି ସମୟ ପରେ ସେହି ଅଞ୍ଚଳରେ ଅନେକ ଗୁଡିଏ ଡ୍ରୋନ ଦେଖିବାକୁ ମିଳିଥିଲା । ଯାହାକୁ ଭାରତୀୟ ଯବାନ ନଷ୍ଟ କରିଦେଇଥିଲେ । କିନ୍ତୁ ଗୋଟିଏ ଡ୍ରୋନର ଅବଶେଷ ଫିରୋଜପୁର ଜିଲ୍ଲା ଖାଇ ଫେମ ଗାଁର ଲଖୱିନ୍ଦର ସିଂଙ୍କ ଘରେ ଖସି ପଡିଥିଲା । ଡ୍ରୋନ୍ ଖସିବା ଯୋଗୁ ଲଖୱିନ୍ଦର, ତାଙ୍କ ପତ୍ନୀ ସୁୱିନ୍ଦରଖ କୌର ଓ ପୁଅ ମୋନୁ ଅନେକାଂଶରେ ଜଳିଯାଇଥିଲେ । ସେମାନଙ୍କୁ ପ୍ରଥମେ ଫିରୋଜପୁରର ଏକ ଘରୋଇ ହସ୍ପିଗଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଲଖୱିନ୍ଦର ଓ ପତ୍ନୀ ଲୁଧିଆନାସ୍ଥିତ ଡିଏମ୍ସି ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁୱିନ୍ଦରଖ କୌରଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି।