ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବ୍ରହ୍ମୋସ କ୍ରୁଜ୍ ମିସାଇଲ । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନକୁ ଏହା କଡ଼ା ସନ୍ଦେହ ଦେଇଛି । ବହୁମୁଖୀ ବ୍ରହ୍ମୋସ ମିସାଇଲକୁ ଏକାସଙ୍ଗେ ଭୂପୃଷ୍ଠ, ବାୟୁ ଓ ସମୁଦ୍ରରୁ ଏହାକୁ ଉଦକ୍ଷେପଣ କରାଯାଇ ପାରିବ । ଭାରତ ଓ ଋଷର ସହଭାଗିତାରେ ଏହା ନିର୍ମାଣ ହୋଇଛି । ଏହାର ସୁପରସୋନିକ ବେଗ, ଶତପ୍ରତିଶତ ସଠିକତା ଏବଂ ବିଭିନ୍ନ ସୈନ୍ୟ ମିଶନରେ ଗ୍ରହଣୀୟତା ପାଇଁ ଏହା ବେଶ୍ ପରିଚିତ । ଏହି ଉନ୍ନତ ମିସାଇଲକୁ ହାସଲ କରିବା ପାଇଁ ଅନେକ ଦେଶ ଏବେ ଆଗଭର ହୋଇଛନ୍ତି ।
ବ୍ରହ୍ମୋସ କିଣିବାକୁ ଲାଇନରେ ଅଛନ୍ତି ୧୭ ଦେଶ:
ଭାରତର ସ୍ୱଦେଶୀ ବ୍ରହ୍ମୋସ ମିସାଇଲ କିଣିବାକୁ ଏବେ ୧୭ ଦେଶ ଲାଇନ୍ ଦେଇଛନ୍ତି । କିଛି ଦେଶ ଏନେଇ ଚୁକ୍ତି ନିମନ୍ତେ ଆଲୋଚନାର ବିଭିନ୍ନ ସୋପାନରେ ଅଛନ୍ତି । ନଜର ପକାନ୍ତୁ କେଉଁ କେଉଁ ଦେଶ ଚାହୁଁଛନ୍ତି ବ୍ରହ୍ମୋସ ।
ଇଣ୍ଡୋନେସିଆ, ଭିଏତନାମା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେଇ, ବ୍ରାଜିଲ୍, ଚିଲୀ, ଆର୍ଜେଣ୍ଟିନା, ଭେନେଜୁଏଲା, ଇଜିପ୍ଟ,, ସାଉଦି ଆରବ, ଦୁବାଇ, କାତାର, ଓମାନ, ଦକ୍ଷିଣ ଆଫ୍ରିକା, ବୁଲଗେରିଆ
ଇଣ୍ଡୋନେସିଆ ବ୍ରହ୍ମୋସ କ୍ରୁଜ୍ ମିସାଇଲର ଉନ୍ନତ ସଂସ୍କରରଣକୁ କିଣିବା ପାଇଁ ଏହା ୨୦୦ରୁ ୩୫୦ ନିୟୁତ ଡଲାର ଚୁକ୍ତି ପାଇଁ ଆଲୋଚନା କରୁଛି । ସେହିପରି ଭିଏତନାମା ନିଜର ଆର୍ମି ଓ ନୌସେନା ପାଇଁ ବ୍ରହ୍ମୋସ ମିସାଇଲ ଯୋଗାଣ ନିମନ୍ତେ ୭ଶହ ନିୟୁତ ଡଲାର ଚୁକ୍ତି ଯୋଜନା କରୁଛି । ମାଲେସିଆ ନିଜର ସୁଖୋଇ ସୁ-୩୦ ଏମକେଏମ ଫାଇଟର ଜେଟ୍, ଓ କେଦାହ ଶ୍ରେଣୀ ଯୁଦ୍ଧ ଜାହାଜ ପାଇଁ ବ୍ରହ୍ମୋସ ମିସାଇଲ କିଣିବାକୁ ଚାହୁଁଛି ।
ଅନ୍ୟପଟେ ଦକ୍ଷିଣ ପୂର୍ବ ଏସୀୟ ଦେଶ ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେଇ, ଲାଟିନ୍ ଆମେରିିକୀ ଦେଶ ମଧ୍ୟରେ ବ୍ରାଜିଲ, ଚିଲୀ, ଆର୍ଜେଣ୍ଟିନା, ଭେନେଜୁଏଲା କିଣିବାକୁ ଫୋକସ କରୁଛନ୍ତି । ମଧ୍ୟ ପ୍ରାଚ୍ୟ ଦେଶ ଭିତରେ ଇଜିପ୍ଟ, ସାଉଦି ଆରବ, ଦୁବାଇ, କାତାର, ଓମାନ ମଧ୍ୟ ବ୍ରହ୍ମୋସକୁ ନେଇ ରୁଚି ପ୍ରଦର୍ଶନ କରିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ବୁଲଗେରିଆ ମଧ୍ୟ ବ୍ରହ୍ମୋସ କିଣିବାକୁ ଆଲୋଚନା ଜାରି ରଖିଛନ୍ତି ।
ବ୍ରହ୍ମୋସର କଣ ରହିଛି ସ୍ୱତନ୍ତ୍ରତା:
ବ୍ରହ୍ମୋସ ହେଉଛି ଭାରତର ଦ୍ରୁତତମ କ୍ରୁଜ୍ ମିସାଇଲ । ୨୦୦୧ ମସିହା ଜୁନ୍ ୧୨ ଏହାକୁ ପ୍ରଥମେ ପରୀକ୍ଷା କରାଯାଇଥିଲା । ସେବେଠୁ ଏହାର ସାମର୍ଥ୍ୟ ବଢାଇବା ପାଇଁ ଆହୁରି ଉନ୍ନତ କରାଯାଉଛି । ମାନବ ରହିତ ସୁପରସୋନିକ୍ ମିସାଇଲ ବ୍ରହ୍ମୋସ ମାକ୍ ୩ ବେଗରେ ଗତି କରିପାରେ । ଏହାର ହାରାହାରି ରେଞ୍ଜ ୨୯୦ କିମି । ଉନ୍ନତ ସଂସ୍କରଣରେ ଏହା ୫ଶହ କିମ୍ବା ୮ଶହ କିଲୋମିଟର ଯାଇପାରେ । ୩ଶହ କିଲୋର ଯୁଦ୍ଧାସ୍ତ୍ର ଏହା ବହନ କରିବାର କ୍ଷମତା ରହିଛି । ୧୫ କିଲୋମିଟର ଉଚ୍ଚରେ ଏହା ଉଡିବାରେ ସକ୍ଷମ । ଭୂମିଠୁ ମାତ୍ର ୧୦ କିଲୋମିଟର ଉଚ୍ଚରେ ସ୍ଥିତ ଟାଗେର୍ଟକୁ ଏହା ଆକ୍ରମଣ କରିପାରେ, ଯାହା ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ସଠିକ୍ ଆକ୍ରମଣ ପାଇଁ ଫଳପ୍ରଦ ଅସ୍ତ୍ର କରିଛି ।