ଆମ ଶରୀରକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସାୟନିକ ଓ ଜୈବିକ ପ୍ରକ୍ରିୟା ପାଇଁ ବିଭିନ୍ନ ଭିଟାମିନ ତଥା ମିନେରାଲ ଆବଶ୍ୟକ ହୋଇଥାଏ । ତନ୍ମଧ୍ୟରୁ ଲୌହ ବା ଆଇରନ ଅନ୍ୟତମ । ଆଇରନ ରକ୍ତରେ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରିତ କରିଥାଏ । ମହିଳାଙ୍କ କ୍ଷେତ୍ରରେ ଆଇରନ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଅଟେ । ରକ୍ତରେ ହିମୋଗ୍ଲୋବିନର ପରିମାଣ ଏହି ଆଇରନର ଉପସ୍ଥିତି ହିଁ ନିର୍ଦ୍ଧାରଣ କରିଥାଏ । ଆଇରନଯୁକ୍ତ ଖାଦ୍ୟ ଗ୍ରହଣ କରିଲେ, ଶରୀରରେ ସ୍ଫୁର୍ତ୍ତି, ଚିନ୍ତନଶୀଳତାରେ ସ୍ପଷ୍ଟତା ଓ ସାମଗ୍ରିକ ଶରୀରର ବିକାଶ ଘଟିଥାଏ । ଆଇରନ ଅଭାବ ଯୋଗୁଁ ରକ୍ତହୀନତା ଭଳି ମାରାତ୍ମକ ରୋଗ ଦେଖାଦେଇଥାଏ । ଯାହାଫଳରେ ଆଳସ୍ୟ, ଦୁର୍ବଳତା ଓ ଚିନ୍ତନଶୀଳତାରେ ଅନିୟମିତତା ଦେଖାଦେଇଥାଏ । ତେଣୁ ଖାଦ୍ୟରେ ଆଇରନ ସାମିଲ କରିବା ନିତ୍ୟାନ୍ତ ଆବଶ୍ୟକ ।
ଚାଲନ୍ତୁ ଜାଣିବା 5ଟି ଖାଦ୍ୟ ସମ୍ପର୍କରେ ଯାହା ଦ୍ୱାରା ଆପଣ ନିଜ ଶରୀରର ଆଇରନର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ ହୋଇଥାଏ ।
ଡାର୍କ ଚକଲେଟ: ଯଦି ଆପଣ ଚକଲେଟ ଖାଇବାକୁ ଭଲ ପାଆନ୍ତି ତେବେ ଆଇରନକୁ ଆପଣଙ୍କ ଖାଦ୍ୟଚର୍ଯ୍ୟାରେ ସାମିଲ କରିବା ଆହୁରି ସହଜ ହୋଇଯାଏ । 70 ପ୍ରତିଶତ କାକଓ ଥିବା ଡାର୍କ ଚକଲେଟ ଆପଣଙ୍କୁ ଫାଇଦା ଦେଇଥାଏ । ତେବେ ଆଜିକାଲି ବଜାରରେ ଡାର୍କ ଚକଲେଟ ନାମରେ ଚିନି ମିଶାଇ ବିକ୍ରି ହେଉଛି । ଏଥିରୁ ସତର୍କ ରହିବେ ।
ଫ୍ଲାକ୍ସ ସିଡ୍ସ: ଅଳସି ମଞ୍ଜି ବା ଫ୍ଲାକ୍ସ ସିଡ୍ସ ବାଦାମୀ ରଙ୍ଗର ମଞ୍ଜି ଯାହାକି ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାନରେ ଭର୍ତ୍ତି ହୋଇଥାଏ । ଏହାକୁ ବୈଜ୍ଞାନିକ ମାନେ ସୁପରଫୁଡ଼ ତାଲିକାରେ ମଧ୍ୟ ସାମିଲ କରିଲେଣି । ଏହା ଆଇରନ ସମେତ ଓମେଗା 3 ଫ୍ୟାଟି ଏସିଡ, ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଭୃତି ଭରପୁର ଥାଏ । ଦୈନିକ ଏକ ଚାମଚ ଏହି ମଞ୍ଜି ସେବନ କଲେ ବହୁ ସୁଫଳ ମିଳିଥାଏ
ଶାଗ: ଶାଗ ଆମ ଶରୀର ପାଇଁ ଏକ ସୁପର ଫୁଡ ଅଟେ । ଏଥିରେ ଭିଟାମିନସ୍, ମିନେରାଲ ଓ ଆଣ୍ଟି ଅକ୍ସିଡାଣ୍ଟସ୍ ପ୍ରଭୃତି ପ୍ରଚୁର ମାତ୍ରାରେ ଭର୍ତି ହୋଇରହିଥାଏ । ଏଥିରେ ଫାଇବରର ମାତ୍ର ମଧ୍ୟ ଖୁବ ଅଧିକ ରହିଥାଏ । ଏହାକୁ ଆପଣ ସାଲାଡ଼, ସ୍ମୁଦି ଓ ହାଲକା ଭାଜି ଖାଇପାରିବେ । ଯାହା ଦ୍ୱାରା ଏହାର ସମ୍ପୂର୍ଣ୍ଣ ଲାଭ ଆପଣ ଉଠାଇପାରିବେ ।
ଡାଲି ସମୂହ: ଉଦ୍ଭିଦଜ ଖାଦ୍ୟସାରରେ ଭରପୁର ହେଉଛି ଡାଲି । ଏହାକୁ ଖାଦ୍ୟରେ ସାମିଲ କରିବା ଖୁବ ସହଜ । ଏହାକୁ ଆପଣ ନିଜର ତରକାରୀ କିମ୍ବା ସୁପରେ ସାମିଲ କରି ଗ୍ରହଣ କରି ପାରିବେ । ଡାଲିରେ ଅଧିକ ପରିମାଣରେ ପ୍ରୋଟିନ ସହିତ ଫାଇବର ମଧ୍ୟ ମହଜୁଦ ଥାଏ, ଯାହା ଶରୀରକୁ ଖୁବ ଫାଇଦା କରିଥାଏ ।
ଗୁଡ଼: ଗୁଡ଼ ଏକ ପ୍ରାକୃତିକ ମିଠା ଦ୍ରବ୍ୟ । ମିଠା ପ୍ରସ୍ତୁତିରେ ଏହାର ବ୍ୟବହାର କରା ଯାଇଥାଏ । ଏଥିରେ ଶର୍କରା ସାମିଲ ହୋଇ ରହିଥାଏ । ଏହାକୁ ମାଧ୍ୟମ ମାତ୍ରାରେ ସେବନ କଲେ ଏହା ସୁଫଳ ଦେଇଥାଏ । ଗୁଡ଼କୁ ଆପଣ ଦୈନନ୍ଦିନ ଖାଦ୍ୟରେ ସାମିଲ କରିପାରିବେ
ଏହି ସବୁ ଖାଦ୍ୟକୁ ଆପଣ ନିଜ ଖାଦ୍ୟଚର୍ଯ୍ୟାରେ ସାମିଲ କରିଲେ ସାମଗ୍ରିକ ବିକାଶ ହେବ । ସୁଷମ ଓ ନିୟନ୍ତ୍ରିତ ଖାଦ୍ୟ ଗ୍ରହଣ ଦ୍ୱାରା ଆପଣ ଶରୀରରେ ଆବଶ୍ୟକୀୟ ଉପାଦାନ ପୁରଣ କରିପାରିବେ । ତେବେ ଯଦି ଆପଣଙ୍କୁ ଆଇରନର କମି ରହିଛି ତେବେ ନିକଟସ୍ଥ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ