ଭୁବନେଶ୍ୱର: ଧୋକା ଦେଲେ ସ୍ୱାମୀ । ବିବାହର ଏକ ବର୍ଷ ପରେ ଛୁଆ ଜନ୍ମ ହୋଇସାରିବା ପରେ ଉଭଙ୍କୁ ଛାଡି ଚାଲିଯାଇଛନ୍ତି ସ୍ୱାମୀ। ଏଭଳି ଅଭିଯୋଗ ଆଣିଛନ୍ତି OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ପତ୍ନୀ । ପତ୍ନୀ ଅର୍ଚ୍ଚନା ଦାସ ମହିଳା ଥାନାର ଦ୍ୱାରସ୍ଥ ହୋଇ ସାର୍ଥକଙ୍କ ନାମରେ ସଂଘାତିକ ଅଭିଯୋଗ ଆଣିଛନ୍ତି । ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ସେ ଆହୁରି ଅଭିଯୋଗରେ କରିଛନ୍ତି ଯେ ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବେ ପରିତ୍ୟାଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ । ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱର ।
ଅର୍ଚ୍ଚନା କରିଥିବା ଅଭିଯୋଗ ଅନୁସାରେ, ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା । କିନ୍ତୁ ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା । ଏପରିକି ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ତାଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର । ଶେଷରେ ନିଜେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଆସିଥିଲେ। ଏହାସହିତ ଶିଶୁକୁ ୩ ମାସ ହୋଇଯାଇଥିଲେ ବି ତାକୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ବୋଲି ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଛନ୍ତି ।