ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଆସିବ ପୁରୀ ଶରାଧାବାଲି ଦଳାଚକଟା ରିପୋର୍ଟ । ଏନେଇ ଉନ୍ନୟନ କମିଶନର ଅନୁ ଗର୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତକାଲି ତଦନ୍ତର ଶେଷ ତାରିଖ ଥିଲା, ଏବଂ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ ।
ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳାଚକଟା, ଯେଉଁଥିରେ ୩ ଜଣଙ୍କର ଜୀବନ ଯାଇଥିଲା । ଘଟଣାପରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସରକାର ତତ୍କାଳୀନ ପୁରୀ ଜିଲ୍ଲାପାଳ ଓ ପୁରୀ ଏସପିକୁ ନିଲମ୍ବିତ କରିଥିଲେ । ଏଥିସହ ମୃତକଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଦେଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଜୁନ୍ ୩୦ ତାରିଖରେ ସରକାର ଉନ୍ନୟନ କମିଶନରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ତେବେ ତଦନ୍ତ ବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଯିବା ସହ ସମସ୍ତଙ୍କ ବୟାନ୍ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ଅନୁ ଗର୍ଗ । ଆଜି ସନ୍ଧ୍ୟାରେ ଏନେଇ ରିପୋର୍ଟ ଆସିବ । ରିପୋର୍ଟ ପାଇବା ପରେ ସରକାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।