ଗଜପତି: ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍. ଉଦୟଗିରିସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରେ । ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଘଟଣା ମୁତାବିକ, ଗତ ଜୁଲାଇ ୨୩ ତାରିଖ ରାତିରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନ ଭାବେ କାର୍ଯ୍ୟରତ ସୁବାଷ ଚନ୍ଦ୍ର ବେହେରାଙ୍କୁ ସେ ପିଇବା ପାଇଁ ପାଣି ମାଗିଥିଲେ । କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯନ୍ତ୍ରୀ ଜଣକ କିଛି ନ ଜାଣିପାରି ସେହି ପରିସ୍ରାକୁ ପିଇ ଦେଇଥିଲେ । ପିଇବା ପରେ ତାଙ୍କୁ କିଛି ଅସ୍ୱାଭାବିକ ଲାଗିବାରୁ ସେ ସନ୍ଦେହ କରିଥିଲେ । ପରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ବ୍ରହ୍ମପୁର ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏହି ଅମାନବୀୟ କାଣ୍ଡକୁ ନେଇ ଆର୍. ଉଦୟଗିରି ଥାନାରେ ଅଭିଯୁକ୍ତ ପିଅନ ସୁବାଷ ଚନ୍ଦ୍ର ବେହେରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି । ତେବେ କେଉଁ କାରଣରୁ ପିଅନ ଜଣକ ଏଭଳି କାଣ୍ଡ ଘଟାଇଲେ, ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।