ବଲାଙ୍ଗିର: ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କର ହଠାତ୍ ବଦଳି ଗଲା ମନ । ଜଣେ ତଥା କଥିତ ବିଜେଡ଼ି କର୍ମୀଙ୍କ ଘରୁ ଖାଇ ପିଇ ବାହାରିବା ମାତ୍ରେ ଅଧଘଣ୍ଟାରେ ବଦଳିଗଲା ନିଷ୍ପତ୍ତି । ଆତ୍ମହତ୍ୟା ବଦଳରେ ଧାରଣା ଦେବେ ବୋଲି କହିଛନ୍ତି ବିଇଓ ରଞ୍ଜିତ ଭୋଇ ।
ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ବଲାଙ୍ଗୀର ଡିଇଓଙ୍କ କାର୍ଯ୍ୟାଳୟକୁ ବଦଳି ହୋଇ ଆସିଥିବା ବିଇଓ ରଞ୍ଜିତ ଭୋଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକୁରୁ ବଲାଙ୍ଗୀର ବେଲପଡ଼ା ଡିଇଓ କାର୍ଯ୍ୟାଳୟକୁ ରଞ୍ଜିତ ଭୋଇଙ୍କର ବଦଳି ହୋଇଥିଲା । ହେଲେ ଡିଇଓ ପୋଷ୍ଟିଂ ଦେଉନଥିଲେ ବୋଲି ରଞ୍ଜିତ ଭୋଇ ଅଭିଯୋଗ କରିଥିଲେ । ବେଲପଡ଼ାର ବିଇଓ ଅଭିନବ ମିଶ୍ର ତାଙ୍କ ଜାଗା ଛାଡ଼ୁ ନାହାଁନ୍ତି । ଫଳରେ ରଞ୍ଜିତ ଭୋଇ ତିନି ମାସ ହେଲାଣି କାର୍ଯ୍ୟରେ ଯୋଗ ଦେଇ ପାରୁ ନ ଥିଲେ କହିଥିଲେ । ସେଥିପାଇଁ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ । ମାତ୍ର ଅଫିସର ହୋଇ ଆତ୍ମହତ୍ୟା କରିବା ପ୍ରଶ୍ନରେ ମତ ବଦଳାଇଲେ ଅଭିଯୋଗକାରୀ ବିଇଓ । ଆତ୍ମହତ୍ୟା କରିବା ପାଇଁ କହିଥିବା ହେତୁ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳେ ବୁଝା ସୁଝା କରିବା ପରେ ପୋଷ୍ଟିଂ ନ ହେଲେ ଧାରଣା ଦେବି ବୋଲି ମତ ବଦଳାଇ ଥିଲେ । କିଛି ସମୟ ପୂର୍ବରୁ ଆତ୍ମହତ୍ୟା ଧମକ ଦେଉଥିବା ବିଇଓ କାହା ଚାପରେ ଆସି ନିଷ୍ପତ୍ତି ବଦଳାଇଲେ ବୋଲି ଉଠିଛି ପ୍ରଶ୍ନ । ତେବେ ଏ ନେଇ ଡିଇଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।