ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ପ୍ରତିଦିନ ଘରୋଇ ଚାକିରି ସମ୍ପର୍କରେ ଛଟେଇ ଖବର ଆସୁଛି। ନିକଟରେ ମାଇକ୍ରୋସପ୍ଟରେ ଛଟେଇ ଖବର ଆସିବା ପରେ ଏବେ ଟିସିଏସ ୧୨ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି। ଏହି ଛଟେଇ ସମୟରେ, Infosys (ଇନ୍ଫୋସିସ୍) ଏକ ଭଲ ଖବର ଆଣିଛି। ଇନ୍ଫୋସିସ୍ ର ସିଇଓ ସଲିଲ ପାରେଖ କହିଛନ୍ତି, କମ୍ପାନୀ ଚଳିତବର୍ଷ ୨୦ ହଜାର ଫ୍ରେସର ନିଯୁକ୍ତି ଦେବ। ଏକ ଗଣମାଧ୍ୟମ ସାକ୍ଷାତକାରରେ ପାରେଖ କହିଛନ୍ତି, 'ଆମେ ପ୍ରଥମ ତ୍ରୈମାସିକରେ ୧୭,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛୁ ଏବଂ ଏହି ବର୍ଷ ପ୍ରାୟ ୨୦,୦୦୦ କଲେଜ ସ୍ନାତକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛୁ।'
ପାରେଖ ଏହା ମଧ୍ୟ କହିଛନ୍ତି, ଇନଫୋସିସ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ପୁଞ୍ଜି ଖଟାଉଛି। ଏଥିସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ବି କାର୍ଯ୍ୟ କରୁଛି। ଏଯାବତ୍ ଇନଫୋସିସ୍ ପ୍ରାୟ ୨ଲକ୍ଷ ୭୫ ହଜାର କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ସ୍ତରରେ ତାଲିମ ଦେଇଛି।
୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ TCSର ଘୋଷଣା:
ଇନଫୋସିସ୍ ସିଇଓଙ୍କ ବୟାନ୍ ଏଭଳି ସମୟରେ ଆସିଛି, ଯେତେବେଳେ ଏହାର ପ୍ରତିଦ୍ୱନ୍ଦୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ୧୨ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଏହା ଭାରତର ଆଇଟି ଶିଳ୍ପରେ ସର୍ବବୃହତ୍ ଛଟେଇ। ଏଯାବତ୍ କୌଣସି ଭାରତୀୟ ଆଇଟି କମ୍ପାନୀ ଦ୍ୱାରା ଏତେମାତ୍ରାରେ କର୍ମଚାରୀଙ୍କୁ ଛଟେଇ କରାଯାଇନଥିଲା।