ନୂଆଦିଲ୍ଲୀ: ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନକୁ ସମର୍ଥନ କରିବା ଏବଂ ଭାରତୀୟ ସେନା ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରିବା ଉଭୟ ଚୀନ ଏବଂ ତୁର୍କୀକୁ ବଡ଼ ଝଟକା ଲାଗିଛି । ଚୀନର ଗ୍ଲୋବାଲ୍ ଟାଇମସ୍ (Global Times)କୁ ମଧ୍ୟ ଭାରତରେ ବ୍ୟାନ୍ କରାଯାଇଛି । ଅପରେସନ୍ ସିନ୍ଦୂର ବେଳେ ଭାରତୀୟ ସେନା ବିରୁଦ୍ଧରେ ଭୁଲ ତଥ୍ୟ ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ଲୋବାଲ ଟାଇମ୍ସ ଚୀନ ସତ୍ତାଧାରୀ କମ୍ୟୁନିଷ୍ଟ ପାର୍ଟିର ଏକ ବଡ଼ ସମର୍ଥକ ଅଟେ ।
ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ପରିବର୍ତ୍ତନ କରିବା ପାଇଁ ଚୀନ୍ ଚେଷ୍ଟା କରୁଥିବା ବେଳେ ଭାରତ ବିରୋଧ କରିଛି । ଭାରତ କହିଛି ଯେ ଏପରି ଅବାନ୍ତର ପ୍ରୟାସକୁ ଗ୍ରହଣ କରାଯାଇ ପାରିବ ନାହିଁ । ଅରୁଣାଚଳ ପ୍ରଦେଶ ରାଜ୍ୟ "ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ରହିବ" ବୋଲି କୁହାଯାଇଛି । ଏହି ପ୍ରତିକ୍ରିୟା ବେଜିଂ ଅରୁଣାଚଳ ପ୍ରଦେଶର କିଛି ସ୍ଥାନ ପାଇଁ ଚୀନ୍ ନାମ ଘୋଷଣା କରିବା ପରେ ଆସିଛି, ଯାହାକୁ ପଡ଼ୋଶୀ ଦେଶ ତିବ୍ଦତର ଦକ୍ଷିଣ ଅଂଶ ବୋଲି ଦାବି କରୁଛି ।
ସେପଟେ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇବା ତୁର୍କୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତର ବିଭିନ୍ନ ବ୍ୟବସାୟୀ, ଟ୍ରାଭେଲ ସଂସ୍ଥା ତୁର୍କୀ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛନ୍ତି । ପ୍ରଥମେ ଦେଶ ତା ପରେ ବ୍ୟବସାୟ ବୋଲି ସମ୍ପୃକ୍ତ ବ୍ୟବସାୟୀମାନେ କହିଛନ୍ତି ।