ଥୀରୁଅନନ୍ତପୁରମ୍: ଜଣେ ଆଇନଜୀବୀ ହୋଇ ନ୍ୟାୟ ଦେବା ପ୍ରତି ବଦଳରେ ଆଇନ ଉଲ୍ଲଂଘନ କରିଛନ୍ତି । କେରଳର ଥୀରୁଅନନ୍ତପୁରମ୍ ରେ ଆଇନ ତାଲିମ ନେଉଥିବା ଜଣେ ମହିଳା ସହକର୍ମୀଙ୍କୁ ତାଙ୍କର ଉପରସ୍ଥ ସହକର୍ମୀ ନିସ୍ତୁକ ମାଡ଼ ମାରିଛନ୍ତି । ବାଞ୍ଚିୟୁର କୋର୍ଟରେ ଅଭ୍ୟାସ କରୁଥିବା ପରାସ୍ସାଲାରୁ ସ୍ୟାମିଲି ଜେ ଭି (୨୬) ଏହି ଅତ୍ୟାଚାରର ଶୀକାର ହୋଇଛନ୍ତି । ମାଡ଼ ମାରିଥିବା ଉପରସ୍ଥ ସହକର୍ମୀ ଅମ୍ବାଲଥରାର ଆଇନଜୀବୀ ବେଲିନ୍ ଦାସ (୪୮)ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି ।
ସ୍ୟାମିଲି ଜେ ଭିଙ୍କ ଅଭିଯୋଗ ମୁତାବକ, ଉପର କର୍ମଚାରୀ ବେଲିନ୍ ତାଙ୍କୁ ପ୍ରଥମେ ଗୋଟିଏ ଚାପୁଡ଼ା ମାରିଥିଲେ । ଏହା ପରେ ତାଙ୍କୁ ଠେଲି ଦେଇଥିଲେ, ସେ ତଳେ ପଡ଼ି ଯାଇଥିଲେ । ଯେପର୍ଯ୍ୟନ୍ତ ସେ ଚେତାଶୂନ୍ୟ ହୋଇ ନ ଥିଲେ ସେପର୍ଯ୍ୟନ୍ତ ମାରି ଚାଲିଥିଲେ । ଏମିତିକି ତାଙ୍କୁ ଘର ପୋଛା ଯାଉଥିବା ବାଡ଼ିରେ ମଧ୍ୟ ପିଟିଥିଲେ । ସ୍ୟାମିଲିଙ୍କ ମୁହଁ ସମ୍ପୂର୍ଣ୍ଣ ନାଲି ପଡ଼ି ଯାଇଥିବାବେଲେ ଫୁଲି ଯାଇଛି । ଏ ନେଇ ସେ ବାଞ୍ଚିୟୁର ଥାନାରେ ଲିଖିତ ଏତଲା ଦେଇଛନ୍ତି । ଆଇନଜୀବୀ ବେଲିନ୍ ଦାସଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରା ୭୪, ୧୨୬ (୨) ଏବଂ ୧୧୫(୨) ଆଧାରରେ ମାମଲା ରୁଜୁ କରାଯାଇଛି ।
ସେପଟେ ବାର୍ ଆସୋସିଏସନ୍ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ବାର ଆସୋସିଏସନରୁ ନିଲମ୍ବନ କରାଯାଇଛି ।
ସ୍ୟାମିଲି ଦୀର୍ଘ ୩ ବର୍ଷ ହେବ ସେଠାରେ କାର୍ୟ୍ୟରତ ଅଛନ୍ତି । ଜଣେ ଟାଇପିଷ୍ଟଙ୍କ ଅଭିଯୋଗ ଆଧାରରେ ଆଇନଜୀବୀ ବେଲିନ୍ ସ୍ୟାମିଲିଙ୍କୁ ଗତ ଗୁରୁବାର ନିଲମ୍ବିତ କରିଥିଲେ । ଏହା ପରେ ତାଙ୍କୁ ଶୁକ୍ରବାର ଦିନ ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା । ଯେତେବେଳେ ଆଇନଜୀବୀକୁ ନେଇ ସେ ଉପରସ୍ଥ ଅଧିକାରୀଙ୍କ ନିକଟକୁ ଯାଉଥିଲେ ସେତେବେଳେ ସେ ତାଙ୍କୁ ଆକ୍ରମଣ କରିଥିଲେ । ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ହେଉଛି , କାର୍ଯ୍ୟାଳୟ ଭିତରେ ଜଣେ ମହିଳା କର୍ମଚାରୀ ଏମିତି ନିସ୍ତୁକ ମାଡ଼ ଖାଉଥିବା ସମୟରେ ଅନ୍ୟମାନେ ଦେଖଣାହାରୀ ସାଜିଥିଲେ । କେହି ଜଣେ ପ୍ରତିବାଦ କରି ନ ଥିଲେ ବୋଲି ସେ କହିଛନ୍ତି ।
ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଉକ୍ତ ଆଇନଜୀବୀ ଜଣକ ତାଙ୍କ ମାଡ଼ ମାରିଥିଲେ । ସେ ଯେତେବେଳେ ପାଞ୍ଚ ମାସର ଗର୍ଭବତୀ ଥିଲେ ତାଙ୍କୁ ମାଡ଼ ମରାଯାଇଥିଲା । ଆଇନଜୀବୀ ବେଲିନ୍ ବହୁତ କ୍ରୋଧୀ ଅଟନ୍ତି । ତାଙ୍କ ବ୍ୟବହାର ପାଇଁ ଯେତେବେଳେ ସ୍ୟାମିଲି ପ୍ରଶ୍ନ ଉଠାଇଥିଲେ ସେ ତାଙ୍କ ଉପରକୁ ଫାଇଲ୍ ଫିଙ୍ଗି ମାରିଥିଲେ ।