ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସଫଳତା ଏବଂ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପରେ ବୁଧବାର ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ସିଡିଏସ୍ ଜେନେରାଲଙ୍କ ସମେତ ତିନି ସେନା ପ୍ରମୁଖ । ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ଅନୀଲ ଚୌହ୍ୱାନ, ସ୍ଥଳ ସେନା ମୁଖ୍ୟ ଜେରୋଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁ ସେନା ମୁଖ୍ୟ ମାର୍ଶଲ ଏପି ସିଂହ ଏବଂ ଜଳ ସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ । ତିନି ସେନା ପ୍ରମୁଖ ଅପରେସନ୍ ସିନ୍ଦୂରର ସଫଳତକୁ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଭାରତର ପ୍ରତିକ୍ରିୟାର ସଫଳତା ପାଇଁ ରାଷ୍ଟ୍ରପତି ସେନାର ସାହସ ଏବଂ ସମର୍ପଣକୁ ପ୍ରଶଂସା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଜରିଆରେ ୯ ଆତଙ୍କୀ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା । ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଭାରତ ସୀମାନ୍ତ ରାଜ୍ୟଗୁଡ଼ିକୁ ଆକ୍ରମଣ କରିଥିଲା । ଏହା ଜବାବରେ ପାକିସ୍ତାନର ପ୍ରତିରକ୍ଷା ରାଡାର ସିଷ୍ଟମ ସହିତ ଅନେକ ସାମିରକ ଘାଟିରେ ଭାରତୀୟ ବାସୁ ସେନା ତାଣ୍ଡବ ରଚିଥିଲା । ଫଳରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଆକୁଳ ନିବେଦନ କରିଥିଲା । ଯାହା ଫଳରେ ଭାରତ ଅସ୍ତ୍ରବିରତି ଘୋଷଣା କରିଥିବାବେଳେ କୂଟନୈତିକ ସ୍ତରରେ ନିଆଯାଇଥିବା ନିଷ୍ପତ୍ତିକୁ କାଏମ ରଖିଛି ।