ନୂଆଦିଲ୍ଲୀ: ଭାରତୀୟ ସେନା ହାତରେ ଶୋଚନୀୟ ପରାଜୟ ପରେ, ପାକିସ୍ତାନ ଏବେ ଭାରତକୁ ପାଣି ପାଇଁ ନିବେଦନ କରିବା ଆରମ୍ଭ କରିଛି। ପାକିସ୍ତାନ ସରକାର ବୁଧବାର ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସିନ୍ଧୁ ଜଳ ଚୁକ୍ତିନାମାର ସ୍ଥଗିତ ରଖିବା ଉପରେ ପୁନର୍ବିଚାର କରିବାକୁ ଆବେଦନ କରିଛନ୍ତି।
ପାକିସ୍ତାନର ଜଳସମ୍ପଦ ସଚିବ ସୟଦ ଅଲି ମୁର୍ତାଜା ଭାରତକୁ ଲେଖିଥିବା ଚିଠିରେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ଯୋଗୁଁ ପାକିସ୍ତାନରେ ଖରିଫ ଫସଲ ପାଇଁ ଏକ ବଡ଼ ଜଳ ସଙ୍କଟ ଦେଖାଦେଇଛି। ତଥାପି ଏହା ଉପରେ ଭାରତ ପକ୍ଷରୁ ଏ ପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବରେ କହିଥିଲେ ଯେ ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ କହିଥିଲେ ଯେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବଳ ସ୍ଥଗିତ ରଖାଯାଇଛି ଏବଂ ଆଗାମୀ ଦିନରେ ଆମେ ପାକିସ୍ତାନର ମନୋଭାବ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ଉପରେ ବିଚାର କରିବୁ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ଆତଙ୍କବାଦର ମଧ୍ୟ ଯୁଗ ନୁହେଁ।
ଏହା ପୂର୍ବରୁ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଡାର ମଙ୍ଗଳବାର କହିଥିଲେ ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମା ପୁନଃ ଆରମ୍ଭ ନ କରେ ଏବଂ ଆମ ଆଡକୁ ଆସୁଥିବା ଜଳ ପ୍ରବାହର ଦିଗକୁ ବଦଳାଇବାକୁ ଚେଷ୍ଟା କରେ, ତେବେ ଦୁଇ ଦେଶ ମଧ୍ୟରେ କାର୍ୟ୍ୟକାରୀ ହୋଇଥିବା ଅସ୍ତ୍ରବିରତି ବିପଦରେ ପଡ଼ିପାରେ। ସେ କହିଛନ୍ତି, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କରୁଛୁ, କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଜଳ ସମସ୍ୟାର ଶୀଘ୍ର ସମାଧାନ ହେବା ଆବଶ୍ୟକ।