ନୂଆଦିଲ୍ଲୀ: ପାକିସ୍ତାନ ସରକାର ଭାରତର ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନକୁ ଏକ କୋଟି ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ପାକ୍ ସରକାରଙ୍କ ଏହି ଘୋଷଣାରେ ସବୁଠୁ ବଡ ଫାଇଦା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆଝାର ମସୁଦକୁ ମିଳିବାକୁ ଯାଉଛି । କାରଣ ବହାବଲପୁରରେ ଭାରତ ଜୈଶ ଏ ମହମ୍ମଦର ଆତଙ୍କୀ ଶିବିର ଉପରେ କରିଥିବା ଏୟାରଷ୍ଟ୍ରାଇକରେ ମସୁଦର ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ ମୃତକ ମସୁଦର ଘନିଷ୍ଠ ଥିଲେ । ଏବେ ଏହି ସବୁ ଲୋକଙ୍କ ମୃତ୍ୟୁରେ ମସୁଦକୁ ୧୪ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ମିଳିବାକୁ ଯାଉଛି । ଏହିପରି ପାକିସ୍ତାନ ସରକାର ପକ୍ଷରୁ ସହାୟତା ନାମରେ ଜାରି ଅର୍ଥ ସିଧାସଳଖ ଆତଙ୍କୀ ଓ ସେମାନଙ୍କ ପରିବାରର ଆକାଉଣ୍ଟକୁ ଯିବ ।
ଅପରେସନ ସିନ୍ଦୂରରେ ଭାରତ ହାଫିଜ ସଇଦର ମୁରିଦେକ ସ୍ଥିତ ଶିବିର ଓ ବହାବଲପୁରରେ ଜୈଶ ଏ ମହମ୍ମଦର ଆତଙ୍କୀ କେନ୍ଦ୍ର ଉପରେ ଜୋରଦାର ହମଲା କରିଥିଲା । ଲାହୋରଠୁ ପ୍ରାୟ ୪୦୦ କିମି ଦୂର ସ୍ଥିତ ବହାବଲପୁରରେ ଭାରତର ଏହି ଭୀଷଣ ଆକ୍ରମଣରେ ଆତଙ୍କବାଦୀଙ୍କ ମୁଖ୍ୟକୁ ଦୋହଲାଇ ଦେଇଛି । ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନର ଆତଙ୍କୀ ସଂଗଠନଗୁଡିକୁ ବ୍ୟାପକ କ୍ଷତି ଘଟିଛି । ମୃତକ ପରିବାରର ପରିଜନଙ୍କୁ କୋଟିଏ ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ପାକ୍ ପିଏମଓ ପକ୍ଷରୁ ଘୋଷଣା କରାଯାଇଛି ।
ଏହା ପୂର୍ବରୁ ଆତଙ୍କବାଦୀଙ୍କ ଉପରେ ଭାରତର ଆକ୍ରମଣରେ ଆତଙ୍କବାଦୀଙ୍କୁ ଯେତିକି କଷ୍ଟ ହୋଇନି ସେତିକି ଅଧିକ କଷ୍ଟ ପାକିସ୍ତାନ ସରକାର ଓ ସେନାକୁ ହୋଇଛି । ସେଥିପାଇଁ ଆତଙ୍କବାଦୀଙ୍କ ଶେଷ କୃତ୍ୟରେ ଆଇଏସଆଇ ଅଧିକାରୀ ଓ ପାକ୍ ସେନାର ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ଏହାର ଚିତ୍ର ସାରା ବିଶ୍ୱ ଦେଖିଛି ଯେ, ପାକିସ୍ତାନ କିଭଳି ଭାବେ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି ।