ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିରେ ଆମେରିକା ମଧ୍ୟସ୍ଥତା କରି ନାହିଁ । ଏହି କଥା ଭାରତ ବାରମ୍ବାର କହୁଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଳପୂର୍ବକ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରୁଛନ୍ତି । ଜବରଦସ୍ତି ଦୁଇ ଦେଶର ବିବାଦକୁ ସମାଧାନ କରିବା ପାଇଁ ସରପଞ୍ଚ ହେବାକୁ ଚେଷ୍ଟା କରୁଛନ୍ତି । ଟ୍ରମ୍ପ ସାଉଦି ଆରବରେ ଏକ ସମ୍ବୋଧନ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିରେ ନିଜ ସରକାର ଐତିହାସିକ ସଫଳତା ହାସଲ କରିଥିବା କହିଥିଲେ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏକାଠି ବସି ରାତ୍ରଭୋଜନ କରିବା ଉଚିତ୍ । ଏହା ଦ୍ୱାରା ଉତ୍ତେଜନା ହ୍ରାସ ପାଇବ । ଉଲ୍ଲେଖନୀୟ ଭାରତ ବାରମ୍ବାର କହି ଆସୁଛି ଯେ, ପାକିସ୍ତାନ ସହ ଆଲୋଚନା କେବଳ ପିଓକେ ଓ ଆତଙ୍କବାଦ ଉପରେ ହେବ । ଏଥିରେ ଅନ୍ୟ କାହାରି ମଧ୍ୟସ୍ଥତା ଦରକାର ନାହିଁ ।
ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ, ଟେସଲାର ସିଇଓ ଏଲନ ମସ୍କ ଓ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଉପସ୍ଥିତିରେ ୟୁଏସ-ସାଉଦି ଇନଭେଷ୍ଟମେଣ୍ଟ ଫୋରମକୁ ସମ୍ବୋଧିତ କରି ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଦୁଇ ଆଣବିକ ସଂପନ୍ନ ଦେଶ ମଧ୍ୟରେ ସମ୍ଭାବିତ ପରମାଣୁ ଯୁଦ୍ଧ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ।
ଟ୍ରମ୍ପ କହିଛନ୍ତି ଯେ, ମୋର ସବୁଠୁ ଆଶା ହେଉଛି ଶାନ୍ତି ସ୍ଥାପନା କରିବା ଏବଂ ଏକତ୍ର ହୋଇ ରହିବା । ମୋତେ ଯୁଦ୍ଧ ପସନ୍ଦ ନୁହେଁ । କିଛି ଦିନ ପୂର୍ବେ ମୋର ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ସଂଘର୍ଷକୁ ରୋକିବାରେ ଅସ୍ତ୍ରବିରତିର ଐତିହାସିକ ସଫଳତା ହାସଲ କରିଛନ୍ତି । ମୁଁ ପାରୁ ପର୍ଯ୍ୟନ୍ତ କାରବାରକୁ ପ୍ରୟୋଗ କରି ଅସ୍ତ୍ରବିରତି ପାଇଁ ଦୁଇ ଦେଶକୁ ରାଜି କରାଇଛି ।
ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାରେ ଆମେରିକାର କୌଣସି ଅବଦାନ ନାହିଁ। ସଂଘର୍ଷ ସମୟରେ କେବଳ ଭାରତୀୟ ଏବଂ ଆମେରିକୀୟ ନେତାମାନଙ୍କ ମଧ୍ୟରେ ଆଲୋଚନା ହେଉଥିଲା। ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଭାରତ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ। ଭାରତ ଓ ପାକିସ୍ତାନ ବିବାଦରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ।