ନୂଆଦିଲ୍ଲୀ: ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ପାଲଟା ଆକ୍ରମଣ କରିଥିଲା । ପ୍ରାୟ ତିନି ଦିନ ଧରି ସୀମାନ୍ତ ରାଜ୍ୟରେ ଥିବା ଭାରତୀୟ ବାୟୁସେନା ଏୟାରବେସକୁ ଡ୍ରୋନ ଏବଂ ମିସାଇଲ୍ ମାଡ଼ କରାଯାଇଥିଲା । କିନ୍ତୁ ଗୋଟିଏରେ ବି ସଫଳ ହୋଇପାରି ନଥିଲା ପଡ଼ୋଶୀ ରାଷ୍ଟ୍ର । ତେବେ ଭାରତ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ମାଷ୍ଟର ମାଇଣ୍ଡ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ବୋଲି ଜଣାପଡ଼ିଛି । ଏ ନେଇ ତାଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ।
ବୁଧବାର ପାକିସ୍ତାନର ପଞ୍ଜାବର ସୂଚନା ମନ୍ତ୍ରୀ ଆଜମା ବୁଖାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ଉପରେ ଆକ୍ରମଣ କରିବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲେ । ସେ ହିଁ ମୁଖ୍ୟ ସୂତ୍ରଧର ଥିଲେ । ଭାରତ ଉପରେ କେମିତି ଆକ୍ରମଣ କରାଯିବ ସେ ତାର ଡିଜାଇନ୍ ପ୍ରସ୍ତୁତ କରିଥିଲେ । ନୱାଜ କୌଣସି ଏମିତି ସେମିତି ନେତା ନୁହଁନ୍ତି ବରଂ ତାଙ୍କ କାମ କଥା କୁହେ ବୋଲି ସେ କହିଛନ୍ତି ।
ମାତ୍ର ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ନୱାଜ ସରିଫ ହିଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଭାରତ ବିରୁଦ୍ଧରେ ନ ଯିବାକୁ ସେ ନିଜ ସାନ ଭାଇଙ୍କୁ ପରାମର୍ଶ ଦେଇଥିଲେ ।