ନୂଆଦିଲ୍ଲୀ: ଭାରତ ପାକିସ୍ତାନ ପରେ ଚୀନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ କରିଛି । ସରକାର ବୁଧବାର ଚୀନର ସରକାରୀ ସମାଚାର ହ୍ୟାଣ୍ଡେଲ ଗ୍ଲୋବାଲ ଟାଇମ୍ସ ଓ ସିନହୁଆର ଏକ୍ସ ଆକାଉଣ୍ଟକୁ ଦେଶରେ ବ୍ୟାନ କରିଛି । ଚୀନର ମୁଖପତ୍ର ଦ୍ୱାରା ପ୍ରସାର କରାଯାଉଥିବା ପ୍ରୋପାଗାଣ୍ଡାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସୂଚନା ଅନୁଯାୟୀ, ଭାରତ ସରକାର ଏହି ପଦକ୍ଷେପ ଏଥିପାଇଁ ଉଠାଇଛନ୍ତି କାରଣ ଗ୍ଲୋବାଲ ଟାଇମ୍ସ ଓ ସିନହୁଆର ଏକ୍ସ ଆକାଉଣ୍ଟ ଭାରତ ଓ ପାକିସ୍ତାନ ଉତ୍ତେଜନା ସମୟରେ ଭାରତୀୟ ସେନାକୁ ନେଇ ମିଛ ଖବର ପ୍ରକାଶ କରିଥିଲେ । ଏହାକୁ ନେଇ ଭାରତୀୟ ଦୂତାବାସ କଡା ଚେତାବନୀ ଦେଇଥିଲେ । ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଗ୍ଲୋବାଲ ଟାଇମ୍ସ ନ୍ୟୁଜକୁ ଚେତାବନୀ ଦେଇ କହିଥିଲେ ଯେ, ଦୟା କରି କୌଣସି ବି ପ୍ରକାରର ଭ୍ରମିତ ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତାର ଯାଞ୍ଚ କରନ୍ତୁ ।
ମାମଲା କଣ ?
ଏହି ପୂରା ମାମଲା ଅପରେସନ ସିନ୍ଦୂର ପରେ ଘଟିଛି । କିଛି ପାକିସ୍ତାନୀ ମିଡିଆ ଓ ସାମାଜିକ ଗଣମାଧ୍ୟମରେ ଦାବି କରିଥିଲେ ଯେ, ଭାରତୀୟ ବାୟୁସେନାର ଏକ ରାଫେଲ ବିମାନକୁ ବହାବଲପୁରରେ ମାରି ଖସାଇ ଦିଆଯାଇଛି । ଗ୍ଲୋବାଲ ଟାଇମ୍ସ ଖବରର ସତ୍ୟତାର ଯାଞ୍ଚ ନ କରି ପ୍ରମୁଖତାର ସହ ପ୍ରକାଶ କରିଥିଲା ।
ପିଗ୍ ଫ୍ୟାକ୍ଟ ଚେକ ଟିମ ଏହି ଦାବିକୁ ନେଇ ଭାଇରାଲ ହେଉଥିବା ଫଟୋକୁ ଭ୍ରାମକ ଓ ପୁରୁଣା ବୋଲି କହିଛନ୍ତି । ଟିମ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଫଟୋ ୨୦୨୧ରେ ପଞ୍ଜାବର ମୋଗା ଜିଲ୍ଲାରେ ଘଟିଥିବା ମିଗ-୨୧ ଦୁର୍ଘଟଣାର । ଏହାର ବର୍ତ୍ତମାନ ଅପରେସନ ସିନ୍ଦୂର ସହ କୌଣସି ସମ୍ବନ୍ଧ ନାହିଁ ।
ଆଜି ବୈଦେଶିକ ମନ୍ତ୍ରଣାଳୟ ଚୀନ ଦ୍ୱାରା ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନର ନାଁ ବଦଳାଇବା ଉଦ୍ୟମ ଉପରେ କଡା ଆପତ୍ତି ପ୍ରକାଶ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଚୀନର ଏହି ରଚନାତ୍ମକ ନାମକରଣ ଉଦ୍ୟମ ବ୍ୟର୍ଥ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ଓ ଅବିଭାଜିତ ଅଂଶ ଥିଲା, ରହିଛି ଏବଂ ରହିବ ।