ନୂଆଦିଲ୍ଲୀ: ଭାରତ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇ ତୁର୍କୀର ସରକାରୀ ଟିଭି ଚ୍ୟାନେଲ ଟିଆରଟି ୱାର୍ଲ୍ଡର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଭାରତରେ ବ୍ୟାନ କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଭୁଲ୍ ସୂଚନା ପ୍ରସାରକୁ ରୋକିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଜିର ଦିନରେ ଭାରତ ଚୀନର ସରକାରୀ ପ୍ରୋପାଗାଣ୍ଡା ଖବର କାଗଜ ଗ୍ଲୋବାଲ ଟାଇମ୍ସର ସୋସିଆଲ ମିିଡିଆ ହ୍ୟାଣ୍ଡେଲ ଉପରେ ମଧ୍ୟ କଟକଣା ଲଗାଇଛି ।
ସୂଚନା ଅନୁଯାୟୀ, ଟିଆରଟି ୱାର୍ଲ୍ଡ ଓ ଗ୍ଲୋବାଲ ଟାଇମ୍ସ ଉପରେ ଭାରତ ବିରୋଧରେ ଭ୍ରାମକ ଓ ଉତ୍ତେଜନାମୂଳଖ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ପାକିସ୍ତାନର ସମର୍ଥକ ଏହି ଦେଶର ନ୍ୟୁଜ ପୋର୍ଟାଲ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ଭାରତର ଅପରେସନ ସିନ୍ଦୂର ସଂପର୍କରେ ମିଥ୍ୟା ଖବର ପ୍ରଚାର କରିଥିଲେ ।
ଭାରତ ସରକାରଙ୍କ କଡା ଆଭିମୁଖ୍ୟ
ଭାରତ ସରକାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସକୁ ୮୦୦୦ରୁ ଅଧିକ ଆକାଉଣ୍ଟ ବ୍ଲକ କରିବାକୁ ଆଦେଶ ଦେଇଛନ୍ତି । ଏଥିରେ ଅନ୍ତର୍ଜାତୀୟ ସମାଚାର ସଂଗଠନ ଓ ପ୍ରମୁଖ ୟୁଜର୍ସଙ୍କ ଆକାଉଣ୍ଟ ବି ସାମିଲ । ସରକାରଙ୍କ କହିବା କଥା ଏହି ସବୁ ଆକ।।ଉଣ୍ଟ ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ସମ୍ବନ୍ଧ ଓ ସାମାଜିକ ସୌହାର୍ଦ୍ଦ୍ୟକୁ କ୍ଷତି ପହଞ୍ଚାଇବା ପରି ଭୁଲ୍ ସୂଚନା ପ୍ରସାର କରୁଥିଲେ । ଟିଆରଟି ୱାର୍ଲ୍ଡ ଓ ଗ୍ଲୋବାଲ ଟାଇମ୍ସ ଏହି କାର୍ଯ୍ୟାନୁଷ୍ଠାନର ଏକ ଅଂଶ ବିଶେଷ ।
ଗ୍ଲୋବାଲ ଟାଇମ୍ସ ଓ କିଛି ଅନ୍ୟ ଆକାଉଣ୍ଟ ଉପରେ ପାକିସ୍ତାନ ସମର୍ଥନରେ ପ୍ରଚାରକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ତୁର୍କୀର ଟିଆରଟି ୱାର୍ଲ୍ଡ ନିଜକୁ ବିଶ୍ୱ ସମାଚାର ଦୃଷ୍ଟିରେ ଖବର ପ୍ରସାରଣ କରୁଥିବା ଦାବି କରିଛି । ଭାରତ ବିରୋଧୀ କଭରେଜ୍ କରୁଥିବା ଏହି ଚ୍ୟାନେଲ ଉପରେ ମଧ୍ୟ ଅଭିଯୋଗ ରହିଛି ।