ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜିଲ୍ଲାପାଳ ଓ ଏସପିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା ପାଇଁ ଚିଠି ଲେଖିଛନ୍ତି ଏସଡିପିଓ ବ୍ରଜମୋହନ ପ୍ରଧାନ । ସେ ପୋଲିସ ଆଇଜିଙ୍କୁ ପତ୍ର ଲେଖି ଆତ୍ମହତ୍ୟା କରିବାକୁ ନିବେଦନ କରିଛନ୍ତି । ଉପରିସ୍ଥ ଅଧିକରୀ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ବାରମ୍ବାର ତାଙ୍କୁ ନିଲମ୍ବନର ଧମକ ଦିଆଯାଉଥିବା ସେ କହିଛନ୍ତି । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଜୀବନ ହାରିଦେବେ ବୋଲି ଚେତାବନୀ ଦେଇଛନ୍ତି ଏସଡିପିଓ । ତେବେ ଏ ନେଇ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଏସଡିପିଓ ବ୍ରଜମୋହନ ପ୍ରଧାନ ଚିଠିରେ ଲେଖିଛନ୍ତି, ବାଲେଶ୍ୱର ହେଡକ୍ୱାର୍ଟରରେ ଡିଏସପି ଦାୟିତ୍ୱ ତୁଲାଉଥିଲା ବେଳେ ଜଳେଶ୍ୱରରେ ଏସଡିପିଓ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବାରମ୍ବାର ମନା କରିବା ସତ୍ତେ ବସ୍ତା ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଥିଲା । ୫୮ବର୍ଷ ବୟସରେ ଦୀର୍ଘ ମୁଖ୍ୟ କାର୍ଯ୍ୟାଳୟରୁ ୬୦ କିଲୋମିଟର ଯାତ୍ରା କରିବା ସମ୍ଭବ ନୁହେଁ । ତାଙ୍କ ଘର କନ୍ଧମାଳ ଜିଲ୍ଲାରେ । ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ "ମୋ ପାଖରୁ ଯଦି ଏସଡିପିଓ ଦାୟିତ୍ୱ ପ୍ରତ୍ୟାହାର କରି ନିଆନଯାଏ ତାହେଲେ ମୁଁ ଆତ୍ମହତ୍ୟା କରିଦେବି”।