ବଲାଙ୍ଗୀର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଶୁଣାଣି ଶେଷ ହୋଇଛି । ମେ ୨୮ ତାରିଖରେ ବଲାଙ୍ଗୀର ଜିଲ୍ଲା ଦୌରାଜଜ ଏହି ମାମଲାରେ ରାୟ ଶୁଣାଇବେ । ଏଡିଜେ କୋର୍ଟ ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି । ମାତ୍ର ଏହା ପୂର୍ବରୁ ମାମଲାରେ ଦୁଇଟି ପ୍ରକ୍ରିୟା ରହିଛି । ଆସନ୍ତା ଶନିବାର ସୁଦ୍ଧା ସରକାରୀ ଓକିଲ ନିଜର ପକ୍ଷକୁ ଲିଖିତ ଆକାରେ ଦାଖଲ କରିବେ । ସେହିପରି ପ୍ରତିପକ୍ଷ ଓକିଲ ପ୍ରମୋଦ ମିଶ୍ର ଆସନ୍ତା ସୋମବାର ନିଜର ପକ୍ଷ ଲିଖିତ ଆକାରରେ ରଖିବେ । ଏହା ପରେ ରାୟ ପ୍ରକାଶ ପାଇବ ।
ଗତକାଲି ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଏହି ମାମଲାରେ ଅଭିଯୋଗକାରୀଙ୍କ ପକ୍ଷରୁ ୬୨ ଜଣଙ୍କୁ ସାକ୍ଷୀଭାବେ ଉପସ୍ଥାପନ କରିଥିବା ବେଳେ ପ୍ରତିପକ୍ଷରୁ ମାତ୍ର ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଗତ ୯ ତାରିଖରେ ଅଭିଯୋଗକାରୀଙ୍କ ପକ୍ଷରୁ ସରକାରୀ ଅଧିବକ୍ତା ଆଶିଷ ଚନ୍ଦନ ଯୁକ୍ତି ରଖିଥିଲେ । ଏହା ପରେ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ ମଧ୍ୟ ଯୁକ୍ତି ରଖିଥିଲେ । ଗତକାଲି ଅଭିଯୁକ୍ତ ପକ୍ଷର ନିଜର ଅନ୍ତିମ ଯୁକ୍ତି ଉପସ୍ଥାପନ କରିଥିଲେ । ତଦନ୍ତରେ ଅନେକ ତ୍ରୁଟି ଥିବା ସେ ଦର୍ଶାଇଛନ୍ତି । ଏହାରି ମଧ୍ୟରେ ମାମଲାର ଶୁଣାଣି ଶେଷ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୮, ଫେବୃଆରୀ ୨୧ ତାରିଖରେ ପାଟଣାଗଡ଼ ବ୍ରହ୍ମପୁରାସ୍ଥିତ ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ଘରକୁ ଏକ ପାର୍ସଲ୍ ଆସିଥିଲା । ପାର୍ସଲକୁ ତାଙ୍କର ନବବିବାହିତ ପୁଅ ଇଂ ସୌମ୍ୟଶେଖର ସାହୁ ଗ୍ରହଣ କରିଥିଲେ । ଉକ୍ତ ପାର୍ସଲକୁ ଖୋଲିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ସୌମ୍ୟ ଓ ତାଙ୍କ ସମ୍ପର୍କୀୟ ଜେଜେ ମା ଜେମା ଦେଇଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନବବିବାହିତେ ପତ୍ନୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ ଇଂରାଜୀ ଅଧ୍ୟାପକ ଥିବା ପୁଞ୍ଜିଲାଲ ମେହେର ଏକମାତ୍ର ଅଭିଯୁକ୍ତ ଥିଲେ ।