ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏହାକୁ ନେଇ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ତେବେ ଭିଡ କୁ ଭକ୍ତ ମାନେ ଖାତିର ନ କରି ମହାପ୍ରଭୁ ଙ୍କ ଦିବ୍ୟ ଝଲକ ଟିକେ ଦେଖିବାକୁ ଭକ୍ତ ଉତ୍ସାହିତ ଅଛନ୍ତି । ଆଜି ପଞ୍ଚୁକ କୁ ଭୀଷ୍ମ ପଞ୍ଚୁକ ବା ବଗ ପଞ୍ଚୁକ ମଧ୍ୟ କୁହାଯାଏ। ଦୀର୍ଘ ୩୦ ଦିନ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସରିବା ପରେ ପଞ୍ଚୁକ ଚାରିଦିନ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ପଞ୍ଚୁକର ଆଜି ପ୍ରଥମ ଦିନରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଥାଇ ଶ୍ରୀଜୀଉ ମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ର ରେ ଉଲ୍ଲେଖ ରହିଛି।
ଅନ୍ୟପଟେ ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ସହ ଟ୍ରାଫିକ ବ୍ୟବସ୍ଥା ଉପରେ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବଡ ଦାଣ୍ଡ ର ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖାଯାଇ ବରିଷ୍ଠ ପୁଲିସ ଅଧିକାରି ଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସେହିପରି ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ତେବେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ମାନଙ୍କ ପାଇଁ ମରଚିକୋଟ ଛକ ଠାରେ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଡ଼ାକବାଜି ଯନ୍ତ୍ର ଦ୍ବାରା ଶ୍ରୀମନ୍ଦିର ନୀତି କାନ୍ତି ବିଷୟରେ ସୂଚନା ଦିଆଯାଉଛି।