ସଚେତନ ଜନତା ତଥା ଭୋଟର ଥିବା ସତ୍ୱେ ଏବେବି ଅବିକଶିତ,ଅବହେଳିତ ଅବସ୍ଥାରେ ରହିଛି ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ସଦର ମହକୁମା। ବ୍ୟବସାୟିକ ପେଣ୍ଠ ସ୍ଥଳୀ, ୨ ଗୋଟି ଜିଲ୍ଲା ପରିଷଦ ଜୋନ ଏବଂ ୧୩ ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ପଦ୍ମପୁର ବ୍ଲକ୍ ଜିଲ୍ଲାର ଏକ ପ୍ରମୁଖ ସହର ହୋଇଥିଲେ ମଧ୍ୟ ଦୀର୍ଘଦିନରୁ ଏହା ସମସ୍ୟା ଘେରରେ ରହିଛି।
ରାୟଗଡା ଜିଲ୍ଲାର ଏକ ପ୍ରମୁଖ ସହର ଭାବେ ପରିଚିତ ପଦ୍ମପୁରରେ ଡାକ୍ତରଖାନାରେ ଆବଶ୍ୟକ ଅନୁଯାୟୀ ଡାକ୍ତର, ନର୍ସ ତଥା ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ନଥିବା ବେଳେ ମାତ୍ର ୪ ଗୋଟି ଡାକ୍ତର ଓ ୫ ଜଣ ନର୍ସଙ୍କୁ ନେଇ ସେବା କାର୍ଯ୍ୟ ଚାଲିଛି। ଏଥିପାଇଁ ଅଞ୍ଚଳବାସୀ ଚିକିତ୍ସା ନିମନ୍ତେ ବ୍ରହ୍ମପୁର,ଭୁବନେଶ୍ୱର,ଆନ୍ଧ୍ରକୁ ଭରଷା କରୁଛନ୍ତି।
ସେହିଭଳି ପଦ୍ମପୁରରେ ବସଷ୍ଟାଣ୍ଡର ସୁବିଧା ନାହିଁ,ଯାହା ଫଳରେ ବସ,ଗାଡ଼ି ମୁଖ୍ୟ ରାସ୍ତାରେ ଠିଆ ହେଉଥିବାରୁ ଅଧିକାଂଶ ସମୟ ମୁଖ୍ୟ ରାସ୍ତା ଗହଳି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଏବଂ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ତେବେ ଏହି ଟ୍ରାଫିକ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ମଧ୍ୟ ଅନେକ ସମୟରେ ବାଧାପ୍ରାପ୍ତ ହେଉଛି। ସେହିପରି ପରିବା ଓ ମାଛ ମାର୍କେଟ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ପରିବା ଓ ମାଛ ମାର୍କେଟ ବସିବା ଫଳରେ ରାସ୍ତା ଗହଳି ହେଉଛି। କୋଭିଡ ପୂର୍ବରୁ ପଞ୍ଚାୟତ ପରିବା ଓ ମାଛ ମାର୍କେଟକୁ ଏଫ୍ ସି ଆଇ ସ୍ଥାନାନ୍ତରିତ କରିଥିଲେ,କିନ୍ତୁ କୋଭିଡ଼ ପରେ ପୁଣି ପରିବା ଓ ମାଛ ବଜାର ମୁଖ୍ୟ ରାସ୍ତାକୁ ପୁଣିଥରେ ଘୁଞ୍ଚିଯାଇଛି।
ଦୀର୍ଘ ବର୍ଷ ଧରି ପାନୀୟ ଜଳର ଅସୁବିଧା ଥିବାବେଳେ ଗତବର୍ଷ ସରକାରଙ୍କ ବସୁଧା ଯୋଜନା ରେ ପ୍ରତି ଘରକୁ ପାଇପର ବ୍ୟବସ୍ଥା କରାଗଲା। କିନ୍ତୁ ଯୋଜନାଟି ଆଶାନୁରୂପ ଫଳପ୍ରଦ ନ ଥିଲା। ବହୁ ଜାଗାରେ ପାଣିନଳା ଫାଟି ରାସ୍ତା ଉପରକୁ ପାଣି ଆସି ଗ୍ରାମର ଅଧିକାଂଶ ରାସ୍ତା ଖରାପ ହେଲାଣି ଓ କିଛି ଜାଗାରେ ନଳା ଫାଟି ଡ୍ରେନପାଣି ନଳାରେ ପଶୁଛି ଯାହାଫଳରେ ଲୋକେ ରୋଗାକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି।
ପଦ୍ମପୁର ରୁ ଗୁଣୁପୁର ସଂଯୋଗ ହଉଥିବା ମୁଖ୍ୟ ରାସ୍ତା କଡ଼ରେ ଵଡନାଳ ଜଳ ପ୍ରକଳ୍ପରୁ ଚାଷ ଜମିକୁ ପାଣି ଯିବା ନିମନ୍ତେ ଘାଇ ଯାଇଛି। ଘାଇର ତଳ ମୁଣ୍ଡରେ ଥିବା ଚାଷ ଜମି ଏହି ଘାଇ ପାଣି ଉପରେ ନିର୍ଭର କରି ଚାଷ କରିଥାନ୍ତି। ଵଡନାଳ ଜଳ ପ୍ରକଳ୍ପ କାରଣରୁ ଏହି ଅଞ୍ଚଳରେ ଉଭୟ ଖରିଫ ଓ ରବି ଫସଲ ହେଇଥାଏ ,କିନ୍ତୁ ଘାଇର ଶୋଚନୀୟ ଅବସ୍ଥା ଯୋଗୁଁ ଚାଷୀଙ୍କୁ ରବି ଫସଲ କରିବାରେ ବାଧା ହେଉଛି।ଘାଇଟି ସମ୍ପୂର୍ଣ୍ଣ ଆବର୍ଜନାରେ ଭରପୁର ହୋଇଥିବା ଯୋଗୁ ପାଣି ଯିବାରେ ଅସୁବିଧା ହେଉଛି।
ବାଇପାସ ରାସ୍ତା ନିର୍ମାଣ ମଧ୍ୟ ହୋଇପାରିନାହିଁ। ଏ ନେଇ ବ୍ଲକ ଠାରୁ ଜିଲ୍ଲା ଅଧିକାରୀଙ୍କ ପାଖରେ ବହୁବାର ଅଭିଯୋଗ କରାଯାଇଥିବା ତଥା ବିଭାଗୀୟ ମନ୍ତ୍ରୀଙ୍କୁ ବି ଚିଠି ଦିଆ ହେବା ସତ୍ତ୍ୱେ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ।
ତେବେ ଏତେ ସବୁ ଅସୁବିଧା ପାଇଁ ସାଧାରଣ ଜନତା ଦ୍ୱାରା ସରକାରଙ୍କ ପଦ୍ମପୁର ପ୍ରତି ଏତେ ଅବହେଳା କାହିଁକି ବୋଲି ପ୍ରଶ୍ନ କରା ଯାଉଛି।ଜିଲ୍ଲାରେ ଆଇନ୍ ମନ୍ତ୍ରୀ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଏବଂ ଶିକ୍ଷିତ ବିଧାୟକ ଥିବା ସତ୍ୱେ କାହିଁକି ହୋଇପାରୁନି ବିକାଶ। ବିକାଶର ଡେଙ୍ଗୁରା ପିଟୁଥିବା ଦୀର୍ଘ ୨୪ ବର୍ଷର ସରକାରଙ୍କୁ ଏହି ସମସ୍ୟା ର ଖବର ନାହିଁ ବୋଲି କହିଛନ୍ତି ଅସନ୍ତୁଷ୍ଟ ଜନତା ।ରାଜ୍ୟ ସରକାରଙ୍କ ଆଇନ୍ ମନ୍ତ୍ରୀ,ସ୍ଥାନୀୟ ବିଧାୟକ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ବାରମ୍ବାର ପଦ୍ମପୁର ଗ୍ରସ୍ତରେ ଆସୁଥିବା ସତ୍ବେ କାହିଁକି ଏହି ସବୁ ସମସ୍ୟାରେ ସମାଧାନ ହୋଇପାରିନାହିଁ।ବ୍ଲକ୍ ପ୍ରଶାସନ ଶାସକ ଦଳର ସେବାରେ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।ବ୍ଲକର ଅନେକ ଜନ ପ୍ରତିନିଧି ମଧ୍ୟ ବ୍ଲକ୍ ପ୍ରଶାସନଙ୍କ ଉପରେ ଅସନ୍ତୁଷ୍ଟ ଯାହା ଗତ ଦୁଇଟି ସମିତି ବୈଠକରେ ଦେଖିବାକୁ ମିଳିଥିଲା। ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସ୍ଥାନୀୟ ବିଧାୟକ,ମନ୍ତ୍ରୀ,ଜିଲ୍ଲା ନେତୃ ବୃନ୍ଦ ନିଜ ନିଜର ଭୋଟ ବେଙ୍କ ସଜାଡିବାରେ ବ୍ୟସ୍ତ।ପଦ୍ମପୁରର ଚତୁର୍ପାଶ୍ୱରେ ରହିଥିବା ବ୍ଲକର ଉନ୍ନତି ପାଇଁ ଓପନ ଜିମ୍,ପାଠଶାଳା,ବଗିଚା ଭଳି ଅନେକ ବ୍ୟବସ୍ଥା ରହିଥିବା ବେଳେ ପଦ୍ମପୁର ବ୍ଲକ୍ ବହୁ ପଛରେ। ଏହି ସବୁ ସମସ୍ୟାର ସମାଧାନ ହେଉନଥୁବାରୁ ବ୍ଲକ ପ୍ରଶାସନ ,ସ୍ଥାନୀୟ ବିଧାୟକ ଓ ଶାସକ ଦଳ ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିରହିଥିବା ବେଳେ ଅସନ୍ତୋଷ ବଢ଼ି ଚାଲିଛି। ତେବେ ଏସବୁ ସମସ୍ୟାର ସମାଧାନ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ରହିଥିବା ଚାପା ଅସନ୍ତୋଷ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବା ଅଧିକ ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ : ପାକିସ୍ତାନ ନିର୍ବାଚନରେ ଆତଙ୍କବାଦୀ ପ୍ରାର୍ଥୀ