ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍ ଖାଇ ଚାଲିଗଲା କୋମଳମତି ଶିଶୁର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣାଟି ଘଟିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକ ହଜ ଗ୍ରାମପଞ୍ଚାୟତ ନିଧିପୁର ଗ୍ରାମରେ। ଏହି ଗ୍ରାମର ଅଭୟ ପାଇକରାୟଙ୍କ ୬ ବର୍ଷର ଏକମାତ୍ର ପୁଅ ତାପସ କୁମାର ପାଇକରାୟ ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍ ଖାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାପସ ଗାଁ ଦୋକାନରୁ ଏକ ଚିପ୍ସ ପ୍ୟାକେଟ ଆଣି ସେଥିରୁ ଥିବା ଏକ ଖେଳନା ବେଲୁନକୁ ପାଟିରେ ଫୁଙ୍କିଥିଲା ହେଲେ ଏହି ବେଲୁନଟି ପିଲାର ଶ୍ୱାସନାଳିରେ ପଶି ରହିଯାଇଥିଲା। ତେବେ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର ବହୁତ ଚେଷ୍ଟା କରିଥିଲେ ମଧ୍ୟ ତା ମୁହଁରୁ ବେଲୁନକୁ ବାହାର କରିପାରି ନଥିଲେ। ସେଠାରୁ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ୟାକେଟ ଫୁଡ୍ ଭିତରେ ଥିବା ଖେଳନା ବେଲୁନ ଯୋଗୁଁ କୋମଳମତି ଶିଶୁ ତାପସର ଅକାଳ ବିୟୋଗ ଘଟିଥିବାରୁ ସରକାରଙ୍କ ତରଫରୁ ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି। ଏଥିସହ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଶିଶୁର ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।
ଅଧିକ ପଢନ୍ତୁ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ତେଲ ମାଫିଆଙ୍କ ମରଣାନ୍ତକ ଆକ୍ରମଣ; ୩ଜଣଙ୍କୁ ଛୁରୀ, ଭୁଜାଲିରେ କଲେ ଲହୁଲୁହାଣ