ଗଞ୍ଜାମ: ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ବିଡ଼ା ବିଡ଼ା ଟଙ୍କାରେ ଭର୍ତ୍ତି ଲକ୍କରକୁ ଜବତ କରାଯାଇଛି। ତେବେ ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା ହୋଇଛନ୍ତି। ଆଜି (ଶୁକ୍ରବାର) ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ତେବେ ଏହି ଟଙ୍କା କେଉଁଠୁ ମିଳିଛି, ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।
ଆଜି ବ୍ରହ୍ମପୁର ସହରର ବିଜିପୁର, ଲାଞ୍ଜିପଲି, ଜୟପ୍ରକାଶ ନଗର, ନୂଆ ବସ ଷ୍ଟାଣ୍ଡ ନିକଟ ଆଦି ସ୍ଥାନରେ ରହୁଥିବା ଅନେକ ବ୍ୟବସାୟୀଙ୍କ ଘରେ ବି ED ରେଡ୍ କରିଛି। ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସରେ ବି ଚାଲିଛି ରେଡ୍। ବେଆଇନ ବାଲି କରବାରର ପର୍ଦାଫାଶ ପାଇଁ ବାଲି ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି। ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି ସରକାରଙ୍କୁ ଦେବାକୁ ବାକି ଅଛନ୍ତି ବେପାରୀ। ଏଥିପାଇଁ ବ୍ରହ୍ମପୁର ବ୍ରହ୍ମାନଗରର ବାଲି ବେପାରୀ କୃପାସିନ୍ଧୁ ମୁଦୁଲିଙ୍କ ଘର ସମେତ ବିଶ୍ୱଜିତ ପାତ୍ର, ସଚିନ ପାଢ଼ୀ, ଶିବ ପଣ୍ଡାଙ୍କ ଘର ଉପରେ ଚଢ଼ାଉ ହୋଇଛି। ସେହିପରି ଶେରଗଡ଼ର ହୃଷିକେଶ ପାଢ଼ୀ ଓ ଖାରିଆ ପଞ୍ଚାୟତର ଭଗବାନ ସାହୁଙ୍କ ଘରେ ବି ରେଡ୍ ହୋଇଛି।
ଅଧିକ ପଢନ୍ତୁ: ଗଞ୍ଜାମରେ ଏକାଧିକ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ବିଜେଡ଼ି ନେତାଙ୍କ ଘରେ ପଶିଲା ଟିମ୍