ଭୁବନେଶ୍ୱର: ବିଜୁ ଜନତା ଦଳରେ କାର୍ଯ୍ୟାନୁଷ୍ଠାନ ପରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଗୋଟିଏ ଦିନରେ ଦୁଇ ଦୁଇ ଜଣ ବିଧାୟକଙ୍କ ନିଲମ୍ବନ ପରେ ଶୁକ୍ରବାର ଆଉ ଦୁଇ ନେତାଙ୍କୁ ନିଲମ୍ବନ କରାଯାଇଛି । ଯାଜପୁର ଜିଲ୍ଲାରୁ ଦୁଇ ଜଣଙ୍କୁ ଏକାବେଳେ ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କରାଯାଇଛି ।
ଯାଜପୁର ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳୀନିପ୍ରଭା ଜେନାଙ୍କୁ ନିଲମ୍ବନ କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବ ସ୍ୱରୂପ ନଳୀନିପ୍ରଭାଙ୍କୁ ନିଲମ୍ବିତ କରାଯାଇଛି ।
ଏହା ପୂର୍ବରୁ ଆଜି ଯାଜପୁର ଅନ୍ୟ ଜଣେ ନେତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା । ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିବା ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି।
ପ୍ରକାଶ ଯୋଗ୍ୟ, ଗତକାଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ଅରବିନ୍ଦ ଓ ସନାତନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।