ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଶୂକ୍ରବାର ମମତା ବାନାର୍ଜୀଙ୍କ ଟିଏମସିକୁ ମିଳିଛି ବଡ ଆଶ୍ୱସ୍ତି । ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ସେହି ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି, ଯେଉଁଥିରେ ଉଚ୍ଚ ନ୍ୟାୟାଳୟ ଟିଏମସିର ବରିଷ୍ଠ ନେତା ମୁକୁଲ ରୟଙ୍କୁ ବିଜେପି ଛାଡି ଟିଏମସିରେ ସାମିଲ୍ ହେବା ପରେ ତାଙ୍କର ସଦସ୍ୟତା ରଦ୍ଦ କରି ଦେଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ମୁକୁଲ ରୟଙ୍କୁ ନେଇ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି । ଏହା ପୂର୍ବରୁ ଆଇ-ପ୍ୟାକର ଠିକଣାରେ ଇଡିର ଚଢଉ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଝଟକା ମିଳିଥିଲା ।
ଦେଶର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚିଙ୍କ ପୀଠ ହାଇକୋର୍ଟଙ୍କ ଗତ ବର୍ଷ ନଭେମ୍ବର ୧୩ର ଆଦେଶ ଉପରେ ରୋକ୍ ଲଗାଇଥଲେ । ଦଳବଦଳ ଆଇନର ସାହାରା ନେଇ ଉଚ୍ଚ ନ୍ୟାୟାଳୟ ପ୍ରଥମ ଥର ଦଳବଦଳ ବିରୋଧୀ ଆଇନ ଆଧାରରେ କୌଣସି ନିର୍ବାଚିତ ସଦସ୍ୟଙ୍କ ୁ ଅଯୋଗ୍ୟ ଘୋଷିତ କରିବା ପାଇଁ ସାମ୍ବିଧାନିକ ଅଧିକାରର ପ୍ରୟୋଗ କରିଥିଲେ । ଆଉ ମୁକୁଲ ରୟଙ୍କ ସଦସ୍ୟତାକୁ ରଦ୍ଦ କରିଥିଲେ ।
ରୟ ୨୦୨୧ ମେରେ କୃଷ୍ଣାନଗର ଉତ୍ତର ସିଟରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୁଣି ସେହି ବର୍ଷ ଜୁନରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଥିଲେ । ଏହା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କ ସଦସ୍ୟତାକୁ ବିଧାନସଭା ବାଚସ୍ପତିଙ୍କ ନିକଟରେ ଚ୍ୟାଲେଞ୍ଜ କରିଥିଲେ । ମାତ୍ର ବାଚସ୍ପତି ବିମାନ ବୋଷ ତାଙ୍କ ଆବେଦନକୁ ଖାରଜ କରିଥିଲେ ।
ଏହା ପରେ ଶୁଭେନ୍ଦୁ ଅଧିକାରୀ ଓ ବିଜେପି ବିଧାୟକ ଅମ୍ବିକା ରାୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ବିଧାନସଭାର ବାଚସ୍ପତି ବିମାନ ବୋଷଙ୍କ ନିଷ୍ପତ୍ତିକୁ ବିକୃତ ବୋଲି କହିଥିଲେ । ଏହା ସହ ରୟଙ୍କ ନାମାଙ୍କନକୁ ରଦ୍ଦ କରିଥିଲେ । ପୁଣି ଟିଏମସି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସୁପ୍ରିମକୋର୍ଟ ଟିଏମସିକୁ ଆଶ୍ୱସ୍ତି ଦେଇଥିଲେ ।