ନୂଆଦିଲ୍ଲୀ: ଦେଶରେ ଏଲପିଜି ସିଲିଣ୍ଡର ସଙ୍କଟ ଦେଖା ଦେଇଛି । ଇରାନ ଯୁଦ୍ଧ ଯୋଗୁଁ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି । ସ୍ଥିତିର ମୁକାବିଲା ପାଇଁ ମଙ୍ଗଳବାର ସରକାର ଏମ୍ସା ଲାଗୁ କରିଛନ୍ତି । ଏହା ଲାଗୁ କରାଯିବାର କାରଣ ଦେଶରେ ଘରୋଇ ଗ୍ୟାସ ସିଲିଣ୍ଡରର ଅଭାବ ନ ରହୁ । ଏହା ବ୍ୟତୀତ ରିଫାଇନାରୀଙ୍କୁ ଏଲପିଜିର ଉତ୍ପାଦନ ବଢାଇବାକୁ କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି । ଏହା ବ୍ୟତୀତ କମର୍ସିଆଲ ସିଲିଣ୍ଡର ପରିବର୍ତ୍ତେ ଘରୋଇ ସିଲିଣ୍ଡର ଯୋଗାଣ ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାର ଏହା ମଧ୍ୟ ଜଣାଇଛନ୍ତି ଯେ, କେଉଁ ସେକ୍ଟରକୁ ଶହେ ପ୍ରତିଶତ ଏବଂ କେଉଁ ସେକ୍ଟରରେ କିଛିଟା ଯୋଗାଣ ହ୍ରାସ କରାଯିବ ।
ଆଦେଶ ଅନୁସାରେ ସରକାର କିଛି ସେକ୍ଟରକୁ ପ୍ରାଥମିକତା ଦେବାକୁ କହିଛନ୍ତି । ଏଥିରେ ଶହେ ପ୍ରତିଶତ ଯୋଗାଣ ଜାରି ରଖିବା ଏବଂ କୌଣସି ପ୍ରକାରର ହ୍ରାସ ନ କରିବାକୁ କୁହାଯାଇଛି । ଏହି ସେକ୍ଟରରେ ପିଏନଜି, ସିଏନଜି, ଏଲପିଜି ଓ ଅନ୍ୟ ପାଇପଲାଇନ ସେବା ସାମିଲ୍ । ଫର୍ଟିଲାଇଜର ପ୍ଲାଣ୍ଟକୁ ୭୦ ପ୍ରତିଶତ ଯୋଗାଣ ଭାଗ ଦିଆଯାଉ । ଏହା ବ୍ୟତୀତ ଚା ଉଦ୍ୟୋଗ, ମ୍ୟାନୁଫେକଚରିଂ ଓ ଅନ୍ୟ ଉଦ୍ୟୋଗି ସଂସ୍ଥାକୁ ମଧ୍ୟ ଏହି କୋଟାର ୮୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗାଣ କରିବାକୁ ଆଦେଶ ଦିଆଯାଇଛି ।
ଗ୍ୟାସ ବିତରଣକାରୀ କମ୍ପାନିକୁ କୁହାଯାଇଛି ଯେ, କମର୍ସିଆଲ ଓ ଇଣ୍ଡଷ୍ଟ୍ରିଆଲ ଆବଶ୍ୟକତା ପାଇଁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ଜାରି ରହୁ । ଏହା ବ୍ୟତୀତ ଉତ୍ପାଦନ ଅଧିକ କରିବାକୁ ରିଫାଇନାରୀ କମ୍ପାନିଗୁଡିକୁ ଆଦେଶ ଦେଇଛନ୍ତି ସରକାର । ଏହା ବ୍ୟତୀତ ଘରୋଇ ସିଲିଣ୍ଡରର ଯୋଗାଣ ଯେମିତି ପୂର୍ବ ପରି ଜାରି ରହିଥିଲା ତାହା ଜାରି ରଖିବାକୁ ସରକାର କହିଛନ୍ତି । ଯଦ୍ୱାରା ଲୋକଙ୍କୁ ଗ୍ୟାସ ଅଭାବର ସମ୍ମୁଖୀନ ନ ହେବାକୁ ପଡିବ । ଏସବୁ ଆଦେଶ କଡାକଡି ଲାଗୁ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।